କମ ବୟସରୁ କୋଟି ପତି ଚ୍ୟାଲେଞ୍ଜ
କିଛି ବର୍ଷ ପୂର୍ବେ ସମୟ ଏମିତି ଥିଲା , ଯେତେବେଳେ ଭାରତର ସବୁଠୁ ଧନୀ ତାଲିକାରେ କେବଳ ବଡ଼ ବଡ଼ ବ୍ୟବସାୟୀ ଘର ପରିବାରର ନାଁ ରହୁ ଥିଲା। କିନ୍ତୁ ଏବେ ସେହି ସମୟ ବଦଳି ଯାଇଛି। ନୂଆ ପିଢ଼ିର ଯୁବ ଷ୍ଟାର୍ଟଅପ୍ ଫାଉଣ୍ଡରମାନେ ଖୁବ୍ କମ୍ ବୟସରେ ହଜାର ହଜାର କୋଟି ଟଙ୍କାର କମ୍ପାନୀ ଛିଡ଼ା କରି ଦେଇଛନ୍ତି। ଏହି ବଦଳୁ ଥିବା ଭାରତର ସବୁଠୁ ବଡ଼ ଉଦାହରଣ ଏବେ ସାଜିଛନ୍ତି ୨୨ ବର୍ଷୀୟ କୈବଲ୍ୟ ବୋହରା। ଫାଷ୍ଟ ଡେଲିଭରୀ ଆପ୍ ‘Zepto’ର କୋ-ଫାଉଣ୍ଡର କୈବଲ୍ୟ ଆଜି ଭାରତର ସବୁଠୁ ଯୁବ ଟେକ୍ କୋଟିପତି ଭାବେ ପରିଚିତ। ବୟସ ମାତ୍ର ୨୨ ବର୍ଷ। ଆଜିକାଲିର ଯୁବପିଢ଼ି ଯେଉଁ ବୟସରେ ଚାକିରି ଖୋଜିବାରେ ବ୍ୟସ୍ତ ଥାଆନ୍ତି, ସେହି ବୟସରେ କୈବଲ୍ୟ ବୋହରା ପ୍ରାୟ ୪,୪୮୦ କୋଟି ଟଙ୍କାର ନେଟୱର୍ଥ ସହ ଦେଶର ସବୁଠୁ ଯୁବ କୋଟିପତି ପାଲଟିଛନ୍ତି।
କୈବଲ୍ୟ ଓ ତାଙ୍କ ପିଲାଦିନର ସାଙ୍ଗ ଆଦିତ ପଲିଚା ଆମେରିକାର ପ୍ରସିଦ୍ଧ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ପଢୁ ଥିଲେ। କିନ୍ତୁ ନିଜର ବ୍ୟବସାୟିକ ସ୍ୱପ୍ନକୁ ସାକାର କରିବା ପାଇଁ ଦୁହେଁ କଲେଜ ପଢ଼ା ଅଧାରୁ ଛାଡ଼ି ଦେଇ ଥିଲେ। କୋଭିଡ୍ ମହାମାରୀ ସମୟରେ ଲୋକଙ୍କ ନିକଟରେ ସହଜରେ ରାସନ୍ ପହଞ୍ଚାଇବା ପାଇଁ ପ୍ରଥମେ WhatsApp ରୁ ଆରମ୍ଭ ହୋଇ ଥିବା ଏହି ଆଇଡିଆ, ୨୦୨୧ରେ ‘Zepto’ ଆପ୍ର ରୂପ ନେଇ ଥିଲା।
Zeptoର ସବୁଠୁ ବଡ଼ ସଫଳତା ଥିଲା ‘୧୦ ମିନିଟ୍ ଭିତରେ ଗ୍ରୋସରୀ ଡେଲିଭରୀ’ର ପ୍ରତିଶ୍ରୁତି। ଆରମ୍ଭରୁ ଅନେକ ଲୋକ ଏହାକୁ ଅସମ୍ଭବ ବୋଲି କହି ଥିଲେ ବି ସହର ଗୁଡ଼ିକରେ ଛୋଟ ଛୋଟ ଡାର୍କ ଷ୍ଟୋର୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆଧାରିତ ଟେକ୍ନୋଲୋଜି ବ୍ୟବହାର କରି କମ୍ପାନୀ ଏହାକୁ ସମ୍ଭବ କରି ଦେଖାଇଲା। ଆଜି ବ୍ଲିଙ୍କିଟ୍ (Blinkit), ସ୍ୱିଗି ଇନଷ୍ଟାମାର୍ଟ ଏବଂ ବିଗ୍ ବାସ୍କେଟ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକୁ କଡ଼ା ଟକ୍କର ଦେଉଛି Zepto। କୈବଲ୍ୟ ନିଜେ ଟେକ୍ନୋଲୋଜି ବିଭାଗ ସମ୍ଭାଳୁ ଥିବା ବେଳେ କମ୍ପାନୀର ଚିଫ୍ ଟେକ୍ନୋଲୋଜି ଅଫିସର ଭାବେ କାର୍ଯ୍ୟ କରୁଛନ୍ତି।
ଆଜିର ଡିଜିଟାଲ୍ ଇଣ୍ଡିଆ, ଶସ୍ତା ଇଣ୍ଟରନେଟ୍, UPI ଓ ଷ୍ଟାର୍ଟଅପ୍ ଆଦିରେ ଇନଭେଷ୍ଟମେଣ୍ଟ ବୃଦ୍ଧି ଯୋଗୁଁ ଭାରତରେ କୋଟିପତି ହେବାର ସଂଜ୍ଞା ବଦଳି ଯାଇଛି। ବଡ଼ ବଡ଼ ବ୍ୟବସାୟୀ ପରିବାର ଓ ଫ୍ୟାକ୍ଟ୍ରି ନଥାଇ ବି କେବଳ ଗୋଟିଏ ସଠିକ୍ ଟେକ୍ ଆଇଡିଆ ଏବଂ କଠିନ ପରିଶ୍ରମ ବଳରେ ଯୁବପିଢ଼ି ନିଜ ସ୍ୱପ୍ନ ପୂରଣ କରି ପାରୁଛନ୍ତି। କୈବଲ୍ୟଙ୍କ ଏହି ସଫଳତା ଆଜି ଦେଶର ଲକ୍ଷ ଲକ୍ଷ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
AI, ଫିନଟେକ୍ ଓ କ୍ୱିକ୍ କମର୍ସ କ୍ଷେତ୍ରରେ ଭାରତୀୟ ଯୁବପିଢ଼ିଙ୍କ ଏହିପରି ପ୍ରବେଶ ଆଜି ବିଶ୍ୱସ୍ତରୀୟ ଇନଭେଷ୍ଟରମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। କମ୍ ବୟସରୁ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜକୁ ଗ୍ରହଣ କରି ସଫଳ ହେବାର ଏହି କାହାଣୀ ପ୍ରମାଣିତ କରୁଛି ଯେ, ନୂଆ ଭାରତର ନୂଆ ପିଢ଼ି ଆଉ କାହା ଠାରୁ ପଛରେ ନାହାଁନ୍ତି।
