ଚିତଉ ପିଠାର ନିଆରା ପରମ୍ପରା ଚିତାଲାଗି ଅମାବାସ୍ୟା

0
Gemini_Generated_Image_gpobkrgpobkrgpob

ଓଡ଼ିଶାରେ ପାଳିତ ହେଉଥିବା ଅନେକ ଗଣପର୍ବ ମଧ୍ୟରେ ଗୋଟିଏ ହେଲା ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା। ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଏହା  ପାଳିତ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା ହୋଇଛି।

ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ତିଆରି କରି ଅର୍ପଣ କରାଯାଇଥାଏ। ଏହା ଓଡିଶାର ପଶୁଯନ୍ତୁ ପ୍ରତି ଭଲ ପାଇବାର ଉଦାହରଣ। ଏହି ପ୍ରଥା ଶବର ପରମ୍ପରାରୁ ଆସିଛି ବୋଲି କୁହାଯାଏ।

ତେବେ ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ ।

ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ ପାଇଁ ବିଲକୁ ଯାଆନ୍ତି। ବିଲରେ ଗେଣ୍ଡାମାନଙ୍କ ଯୋଗୁଁ ଗୋଡ଼ କଟି କ୍ଷତି ହୋଇଥାଏ। ଏଣୁ ଏହି ଆଶଙ୍କାକୁ ଏଡ଼େଇବା ପାଇଁ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶୟକୁ ପକାଯାଏ।

ପାଳନ ବିଧି:

ଜଗନ୍ନାଥ ମନ୍ଦିର –

ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା କଢାଯାଇଥାଏ ତାହା ପୁଣି ଶ୍ରାବଣ ଅମାବାସ୍ୟା ତିଥିରେ ଲାଗି କରାଯାଏ। ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ।

ଉତ୍ତର ଓଡ଼ିଶାରେ ଘରେ –

ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପିଠା ପ୍ରସ୍ତୁତ କରି ଏହାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାଙ୍କ ପାଇଁ ସମର୍ପଣ କରି ପୋତନ୍ତି। ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି।

ଏହାସହ ବିଲରେ ପ୍ରଚୁର ଗେଣ୍ଡା ଥିବାରୁ ଏମାନେ ଚାରା ସବୁକୁ କାଟି ପକାନ୍ତି। ପୁଣି ବଛା ଖେଳା ବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି। ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ପକାଯାଏ।

ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ଦୂରେଇ ଯାଆନ୍ତି। ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା, ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କୁହନ୍ତି:

“ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣି
ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ,
ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ ।
ଆମ ଫସଲ କାଟିବୁ ନାହିଁ ।”

ଏଥିପାଇଁ ଏହି ଓଷାରେ ଗେଣ୍ଡାଙ୍କୁ ଗେଣ୍ଡେଇଶୁଣୀ ନାମରେ ପୂଜା ମଧ୍ୟ କରାଯାଇଥାଏ। ଏହି ବିଧି ପାଇଁ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ଆଦିରେ ଏହା ଗେଣ୍ଡାକଟା ଅମାବାସ୍ୟା ନାମରେ ଜଣାଶୁଣା।

Leave a Reply

Your email address will not be published. Required fields are marked *