ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ୍ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ
ବୌଦ୍ଧ, ୨୩/୭: ବୁଧବାର ଦିନ ୨ ଘଣ୍ଟା ସମୟରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ କିଛି ମାସ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲଦାରଙ୍କୁ ଉପ ନିବନ୍ଧକ ଭାବେ ଦାୟିତ୍ବ ହସ୍ତାନ୍ତର କରା ଯାଇଛି |
ତେଣୁ ସପ୍ତାହକୁ ଦୁଇ ଦିନ ୨୨ ଗୋଟି ଲେଖାଏଁ ଜମି ଜମା କ୍ରୟ ବିକ୍ରୟ ପଂଜିକରଣ କରା ଯାଉଛି l ବିକ୍ରେତା ମାନେ ପୂର୍ବରୁ ଅନ୍ ଲାଇନ ରେ ସ୍ଲଟ ବୁକିଙ୍ଗ କରି ସପ୍ତାହକୁ ନିର୍ଦ୍ଧାରିତ ବୁଧବାର ଓ ଶୁକ୍ରବାର ଦୁଇ ଦିନ ପଂଜିକରଣ ପାଇଁ ଆସୁଛନ୍ତି | ଜମି ରେଜିସ୍ଟ୍ରେସନ୍ ପାଇଁ ଆସୁଥିବା କ୍ରେତା, ବିକ୍ରେତା ଓ ସାକ୍ଷୀ ମାନଙ୍କ ବସିବା ପାଇଁ ପଂଜିକରଣ କାର୍ଯ୍ୟାଳୟରେ ସ୍ଥାନାଭାବ ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଛି l
ତା ସହିତ କର୍ମଚାରୀ ଅଭାବ ଅନ୍ୟ ଏକ ମୁଖ୍ୟ ପ୍ରସଂଗ l ଦାୟିତ୍ବରେ ଥିବା ଅଧିକାରୀ କିମ୍ବା କର୍ମଚାରୀ ବୁଧବାର କିମ୍ବା ଶୁକ୍ରବାର କୌଣସି କାର୍ଯ୍ୟରେ କିମ୍ବା ଛୁଟିରେ ରହିଲେ ସ୍ଲଟ ବୁକିଙ୍ଗ କରି ମଧ୍ୟ ଲୋକେ ହଇରାଣ ହୋଇ ଆସି ଫେରି ଯିବାକୁ ବାଧ୍ୟ ହେଉଛନ୍ତି | ସରକାର ଜମି ବିକ୍ରୟ ପଂଜିକରଣରୁ ବହୁ ପରିମାଣର ରାଜସ୍ୱ ପାଉଥିବା ବେଳେ ଏ ସମସ୍ୟା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି |

