ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ବନ ବିଭାଗର କାର୍ଯ୍ୟାନୁଷ୍ଠାନ; ମହିଳା ଫରେଷ୍ଟର ନିଲମ୍ବିତ

ବୌଦ୍ଧ/କଣ୍ଟାମାଳ, ୧୨ ଜୁଲାଇ(ଉଦୟ): ବୌଦ୍ଧ ବନଖଣ୍ଡ ଅଧୀନ କଣ୍ଟାମାଳ ରେଞ୍ଜ ବାରପଦର ସେକ୍ସନରେ ଘଟିଥିବା ବ୍ୟାପକ ଗଛ କଟା ଓ ଚୋରାଚାଲାଣ ଘଟଣାରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ସଂପୃକ୍ତ ଫରେଷ୍ଟର ବୁଲି ବେହେରାଙ୍କୁ ଆଜି ଚାକିରିରୁ ନିଲମ୍ବନ (ସସପେଣ୍ଡ) କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଶ୍ରୀମତୀ ବେହେରା ବାରପଦର ସେକ୍ସନର ଫରେଷ୍ଟର ଭାବେ ଦାୟିତ୍ୱରେ ଥିବା ସମୟରେ ସୁଳିଆ ସଂରକ୍ଷିତ ଜଙ୍ଗଲରୁ ବହୁମୂଲ୍ୟବାନ ଗଛ ସବୁ ବେଆଇନ ଭାବେ କଟାଯାଇ ବ୍ୟାପକ ପରିମାଣରେ ଚୋରାଚାଲାଣ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହୋଇଥିଲା। ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥାଇ ମଧ୍ୟ ଏଭଳି ବେଆଇନ କାର୍ଯ୍ୟକଳାପକୁ ରୋକିବାରେ ସେ ବିଫଳ ହୋଇଥିବା ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା।

ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କଣ୍ଟାମାଳ ରେଞ୍ଜ ଅଫିସର ଏବଂ ଡିଏଫଓ (DFO) କ୍ଷେତ୍ର ପରିଦର୍ଶନ କରିବା ସହ ଘଟଣାର ସରଜମିନ ତଦନ୍ତ କରିଥିଲେ। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଉଭୟ ଅଧିକାରୀ ଏକ ବିସ୍ତୃତ ତଦନ୍ତ ରିପୋର୍ଟ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିଲେ।

ଏହି ତଦନ୍ତ ରିପୋର୍ଟ ଆଧାରରେ ବ୍ରହ୍ମପୁର ମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ଫରେଷ୍ଟର ଶ୍ରୀମତୀ ବେହେରାଙ୍କ ବିରୋଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିଲମ୍ବନ ଆଦେଶ ପ୍ରକାଶ ପାଇବା ପରେ, ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଶ୍ରୀମତୀ ବେହେରାଙ୍କୁ ବ୍ରହ୍ମପୁର ଡିଏଫଓ ଅଫିସ (ମୁଖ୍ୟାଳୟ) ରେ ଅବସ୍ଥାପିତ କରାଯାଇଛି। ଏହା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ନଛାଡ଼ିବା ପାଇଁ ମଧ୍ୟ ତାଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଞ୍ଚଳରେ ଚୋରା କାଠ ମାଫିଆଙ୍କ ମଧ୍ୟରେ ଛନକା ପଶିଛି।

Leave a Reply

Your email address will not be published. Required fields are marked *