ବର୍ଷା ଦିନେ ବଢ଼ୁଛି ସାପ ଭୟ; କିପରି ପାଇବେ ମୁକ୍ତି?
ଜୀବନଚର୍ଯ୍ୟା ରିପୋର୍ଟ (ଉଦୟ): ମୌସୁମୀ ଆଗମନ ସହ ରାଜ୍ୟରେ ବର୍ଷା ଦିନ ଆରମ୍ଭ ହୋଇଯାଇଛି। ବର୍ଷା ହେବା ମାତ୍ରେ ପ୍ରକୃତି ସବୁଜ ସୁନ୍ଦର ଦେଖାଯାଉଥିଲେ ବି ଏହି ଦିନରେ ଘର ଭିତରକୁ ବିଭିନ୍ନ ପ୍ରକାରର ପୋକଜୋକ ଏବଂ ବିଷଧର ସାପ ପଶି ଆସିବାର ଆଶଙ୍କା ବହୁତ ବଢ଼ିଯାଏ। ବିଶେଷ କରି ଯେଉଁମାନଙ୍କ ଘର ପାଖରେ ପାର୍କ, ଜଙ୍ଗଲ, ବିଲ, ପୋଖରୀ କିମ୍ବା ନାଳ ରହିଛି, ସେମାନଙ୍କ ପାଇଁ ଏହି ସମସ୍ୟା ଅଧିକ ଜଟିଳ ହୋଇଥାଏ। ଏଭଳି ପରିସ୍ଥିତିରେ ନିଜକୁ ଓ ପରିବାରକୁ ସୁରକ୍ଷିତ ରଖିବା ପାଇଁ କିଛି ଜରୁରୀ ସତର୍କତା ଏବଂ ସହଜ ଘରୋଇ ଉପାୟ ବିଷୟରେ ଜାଣିବା ଆବଶ୍ୟକ।
ଜାଣନ୍ତୁ କିଛି ସହଜ ଉପାୟ

ଯଦି ହଠାତ୍ ଘର ଭିତରେ ସାପ ଦେଖାଯାଏ, ତେବେ ଆଦୌ ବ୍ୟସ୍ତ ବା ଭୟଭୀତ ହୁଅନ୍ତୁ ନାହିଁ। ବରଂ ଧୈର୍ଯ୍ୟର ସହ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରନ୍ତୁ:
- ତୀବ୍ର ଗନ୍ଧଯୁକ୍ତ ଜିନିଷର ବ୍ୟବହାର: ସାପମାନଙ୍କର ଶୁଙ୍ଘିବା ଶକ୍ତି ପ୍ରଖର ହୋଇଥାଏ ଏବଂ ସେମାନେ କିଛି ନିର୍ଦ୍ଦିଷ୍ଟ ଜିନିଷର ଗନ୍ଧ ସହ୍ୟ କରିପାରନ୍ତି ନାହିଁ। ଘର ଭିତରେ ଫିନାଇଲ୍ କିମ୍ବା କିରୋସିନି ତେଲ ସ୍ପ୍ରେ କରନ୍ତୁ। ଏହାର କଡ଼ା ଗନ୍ଧ ପାଇ ସାପ ତୁରନ୍ତ ସେହି ସ୍ଥାନ ଛାଡ଼ି ବାହାରକୁ ପଳାଇଥାଏ।
- ବାହାରକୁ ଯିବା ପାଇଁ ବାଟ ଦିଅନ୍ତୁ: ଘରେ ସାପ ଥିବା ଦେଖିଲେ ତୁରନ୍ତ ଘରର କୌଣସି ଗୋଟିଏ କିମ୍ବା ଦୁଇଟି କବାଟ-ଝରକା ଖୋଲା ରଖନ୍ତୁ, ଯେପରି ସାପଟି ସହଜରେ ବାହାରକୁ ଚାଲିଯାଇ ପାରିବ।
- ସାପକୁ ଉସୁକାନ୍ତୁ ନାହିଁ: ଯଦି ସାପଟି ବହୁତ ବଡ଼ କିମ୍ବା ବିଷଧର ହୋଇଥାଏ, ତେବେ ତାହାକୁ ନିଜେ ଘଉଡ଼ାଇବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ଉସୁକାନ୍ତୁ ନାହିଁ। ପରିବାର ଲୋକଙ୍କୁ ସେହି ସ୍ଥାନରୁ ତୁରନ୍ତ ଦୂରେଇ ନିଅନ୍ତୁ ଏବଂ ସୁରକ୍ଷିତ ସ୍ଥାନରେ ରଖନ୍ତୁ।
- ବିଶେଷଜ୍ଞଙ୍କ ସହାୟତା ନିଅନ୍ତୁ: ସାପକୁ ନିଜେ ମାରିବାକୁ ଚେଷ୍ଟା ନକରି ତୁରନ୍ତ ସ୍ଥାନୀୟ ‘ସ୍ନେକ୍ ହେଲ୍ପଲାଇନ’ (Snake Helpline) କିମ୍ବା ବନ୍ୟଜନ୍ତୁ ବିଶେଷଜ୍ଞ ବା ବନ ବିଭାଗକୁ ଖବର ଦିଅନ୍ତୁ।
ସାପକୁ ଦୂରେଇ ରଖିବା ପାଇଁ କିଛି ସହଜ ପ୍ରତିକାର
ବର୍ଷା ଦିନେ ଘର ଚାରିପାଖ ସଫାସୁତୁରା ରଖିବା ସହ କିଛି ନିର୍ଦ୍ଦିଷ୍ଟ ଗଛ (ଯେପରିକି ସର୍ପଗନ୍ଧା, ଲେମନ ଗ୍ରାସ୍ ବା ପୁଦିନା) ଲଗାଇବା ଦ୍ୱାରା ତାହାର ଗନ୍ଧରେ ସାପ ଘର ସୀମାକୁ ଆସନ୍ତି ନାହିଁ। ଏହା ସହିତ ଘରର କବାଟ ତଳେ ଥିବା ଫାଙ୍କ ବନ୍ଦ ରଖିବା ଏବଂ ବାହାରେ କାଠ ବା ଆବର୍ଜନା ଜମା ନକରିବା ଦ୍ୱାରା ସାପ ଭୟରୁ ମୁକ୍ତି ମିଳିପାରିବ।