ବିମାନବନ୍ଦରରୁ ଧରାପଡ଼ିଲା ଧୋକାବାଜ ପ୍ରେମିକ
1 min read

ବିମାନବନ୍ଦରରୁ ଧରାପଡ଼ିଲା ଧୋକାବାଜ ପ୍ରେମିକ

ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ପେସାରେ ଦୁଇଜଣଯାକ ସଫ୍‌ଟୱେର୍‌ ଇଞ୍ଜିନିୟର୍‌। ମାଟ୍ରିମୋନି ସାଇଟ୍‌ରେ ପରସ୍ପରକୁ ଜାଣିଲେ। ଏହାପରେ ଫୋନ୍‌ରେ କଥାବାର୍ତ୍ତା। ଧୀରେଧୀରେ ମିଳାମିଶା ବଢ଼ିଲା। ଭାବିପତ୍ନୀ ତଥା ପ୍ରେମିକାଙ୍କୁ ଭେଟିବା ପାଇଁ ଯୁବକଜଣକ ବେଙ୍ଗାଲୁରୁରୁ ଧାଇଁ ଆସୁଥିଲେ ଭୁବନେଶ୍ବର। କିନ୍ତୁ କିଛି ଦିନ ପରେ ସେମାନଙ୍କ ସମ୍ପର୍କରେ ସୃଷ୍ଟି ହେଲା ଫାଟ। ଯୁବକଜଣକ ଦୂରେଇବାକୁ ଲାଗିଲେ। ଶେଷ‌ରେ ବାହା ହେବେନି ବୋଲି ରୋକ୍‌ଠୋକ ମନା କରିଦେଲେ। ପ୍ରତାରଣାର ଶିକାର ହେବା ପରେ ଯୁବତୀଜଣକ ଚୁପ୍ ବସିଲେ ନାହିଁ। ପୁଲିସର ଦ୍ବାରସ୍ଥ ହେଲେ। ଫଳରେ ବନ୍ଧାହେଲେ ଧୋକାବାଜ ପ୍ରେମିକ। ଗତକାଲି ସନ୍ଧ୍ୟାରେ ମୈତ୍ରୀବିହାର ଥାନା ପୁଲିସ ଦ୍ବାରା ଭୁବନେଶ୍ବର ବିମାନବନ୍ଦରରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ାର ଆଶୁତୋଷ ସାହୁ। ବେଙ୍ଗାଲୁରୁରୁ ଘରକୁ ଫେରୁଥିବା ବେଳେ ବିମାନବନ୍ଦରରେ ଛକିଥିବା ପୁଲିସ ତାଙ୍କୁ ଉଠାଇନେଇଥିଲା। ଆଜି ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି ଏବଂ ତାଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ମୈତ୍ରୀବିହାର ବିଡିଏ କଲୋନି ଅଞ୍ଚଳରେ ରହୁଥିବା ଯୁବତୀଜଣକ ଏକ କର୍ପୋରେଟ୍‌ ସଂସ୍ଥାରେ ସଫ୍‌ଟୱେର୍‌ ଇଞ୍ଜିନିୟର୍‌ ଅଛନ୍ତି। ୨୦୨୩ ମସିହାରେ ସେ ଏକ ମାଟ୍ରିମୋନି ସାଇଟ୍‌ରେ ନିଜର ତଥ୍ୟ ଦେଇଥିଲେ।

ପୂର୍ବରୁ ଆଶୁତୋଷ ମଧ୍ୟ ଉକ୍ତ ସାଇଟ୍‌ରେ ନିଜର ତଥ୍ୟ ଦେଇଥିଲେ। ଏମିତିରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଲା। ଆଶୁତୋଷ ଭୁବନେଶ୍ବର ଆସି ଯୁବତୀଙ୍କୁ ଭେଟୁଥିଲେ। ବାହାହେବା ନିଶ୍ଚିତ ହେବା ପରେ ଆଶୁତୋଷ ଓ ଯୁବତୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ପ୍ରତିଷ୍ଠା ହୋଇଥିଲା। ଏମିତି ପ୍ରାୟ ଦେଢ଼ ବର୍ଷ ବିତିବା ପରେ ହଠାତ୍ ଆଶୁତୋଷଙ୍କ ହାବଭାବ ବଦଳିଥିଲା। ଯୁବତୀଜଣକ ଘଟଣା କ’ଣ ଜାଣିବାକୁ ଚାହିବାରୁ ଆଶୁତୋଷ ତାଙ୍କ ନମ୍ବର ବ୍ଲକ୍‌ କରିଦେଇଥିଲେ। ଫୋନ୍‌ରେ ଯୋଗାଯୋଗ ସମ୍ଭବ ନ ହେବାରୁ ଯୁବତୀଜଣକ କେନ୍ଦ୍ରାପଡ଼ା ଯାଇଥିଲେ। କିନ୍ତୁ ଆଶୁତୋଷଙ୍କ ବାପା ତାଙ୍କୁ ଦୁଆର ଉଠାଇ ଦେଇ ନଥିଲେ। ଆଶୁତୋଷ ସହ ଅନ୍ୟ ଜଣେ ଝିଅର ବାହାଘର ହେବ ଏବଂ ରିଂ ସେରିମନି ସରିଛି ବୋଲି ଆଶୁତୋଷଙ୍କ ବାପା କହିଥିଲେ। ଏସବୁ ଶୁଣିବା ପରେ ଯୁବତୀଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସେ ସେଠାରେ କିଛି ନ କହି ଚୁପ୍‌ଚାପ ଭୁବନେଶ୍ବର ଫେରିଆସିଥିଲେ ଏବଂ ସେମାନଙ୍କ ମିଳାମିଶାର ତଥ୍ୟ ପ୍ରମାଣ ସହ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *