ପାର୍କିଂରେ ଲୁଟ୍‌: ହଟାଇଦେଲେ ବିଏମ୍‌ସି ସୂଚନା ଫଳକ, ଠିକାଦାର ପାଖରେ ବନ୍ଧା ପଡ଼ିଛନ୍ତି ଅଧିକାରୀ
1 min read

ପାର୍କିଂରେ ଲୁଟ୍‌: ହଟାଇଦେଲେ ବିଏମ୍‌ସି ସୂଚନା ଫଳକ, ଠିକାଦାର ପାଖରେ ବନ୍ଧା ପଡ଼ିଛନ୍ତି ଅଧିକାରୀ

ଭୁବବେଶ୍ୱର ୦୯-୦୨-୨୦୨୫(ପିପିଏସ) : ଖଣ୍ଡଗିରିରେ ପାର୍କିଂ ଲୁଟ୍‌ରେ ରୋକ୍‌ ଲଗାଇପାରୁନି ବିଏମ୍‌ସି। ଦାୟିତ୍ବରେ ଥିବା ଅଧିକାରୀମାନେ ଠିକାଦାର ପାଖରେ ବନ୍ଧା ପଡ଼ି ଯାଇଛନ୍ତି ଯେମିତି! ବୁଧବାର ‘ସମ୍ବାଦ’ରେ ପାର୍କିଂରେ ଲୁଟ୍‌ ନେଇ ଖବର ପ୍ରକାଶ ପରେ ବିଏମ୍‌ସି ତତ୍ପରତା ପ୍ରକାଶ କରିଥିଲା। ଠିକା ସଂସ୍ଥାକୁ ତାଗିତ୍‌ କରିବା ସହ ସର୍ବସାଧାରଣଙ୍କୁ ସଚେତନ କରାଇବା ପାଇଁ ପାର୍କିଂ ସ୍ଥଳରେ ପାର୍କିଂ ଦେୟ ସମ୍ପର୍କିତ ସୂଚନା ଫଳକ ଲଗାଇଥିଲା। ହେଲେ ୨୪ ଘଣ୍ଟା ନ ପୂରୁଣୁ ବିଏମ୍‌ସି ହୋର୍ଡିଂ ହଟାଇ ଦିଆଯାଇଛି। ପରିମଳ, ବାସିଖାଦ୍ୟ ନେଇ ବିଏମ୍‌ସି ଚଢ଼ଉ ଜାରି ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏହି ପାର୍କିଂ ବ୍ୟବସ୍ଥା ପ୍ରତି ଆଖି ବୁଜି ‌ଦେଇଛି। ପୂର୍ବଭଳି ପୁଣି ଲୁଟ୍‌ତରାଜ ଆରମ୍ଭ ହୋଇଛି। 

ଖଣ୍ଡଗିରି ମେଳା ପାଇଁ ଖଣ୍ଡଗିରି ଥାନା, ଖାରବେଳ ପାର୍କ, ଓ ଜାଗମରା ହାଉସିଂ ବୋର୍ଡ ସାମନା,  ଖଣ୍ଡଗିରି ବାରି ଏବଂ ଖଣ୍ଡଗିରି ଓଭର୍‌ବ୍ରିଜ୍‌ ତଳେ ଏଭଳି ୫ଟି ଜାଗା ପାର୍କିଂ ପାଇଁ ବିଏମ୍‌ସି ଚିହ୍ନଟ କରିଥିଲା। ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରି ଏହାର ପରିଚାଳନା ବ୍ୟବସ୍ଥା କରିଥିଲା। ଏଥିପାଇଁ ପାର୍କିଂ ଦର ମଧ୍ୟ ଧାର୍ଯ୍ୟ କରିଥିଲା। ଘଣ୍ଟାକୁ ୨ ଚକିଆ ଓ ୩ ଚକିଆ ପାଇଁ ୧୦ଟଙ୍କା, ୪ ଚକିଆ ପା‌ଇଁ ୨୦ ଟଙ୍କା ଓ ଭାରିଯାନ ପାଇଁ ୨୫ ଟଙ୍କା ରହିଥିଲା। ୨ ଘଣ୍ଟାରୁ ଅଧିକ ସମୟ ରଖି‌ଲେ ଏହା ଯଥାକ୍ରମେ ୨୦, ୩୦, ୪୦, ୬୦ ହେବାକୁ ସର୍ତ୍ତ ଥିଲା। ଯେଉଁମାନେ ଧାର୍ଯ୍ୟ ଟଙ୍କା ଠାରୁ ଅଧିକ ନେବେ, ଟିକେଟରେ ସମସ୍ତ ବିବରଣୀ ନରଖିବେ, ସେମାନଙ୍କୁ ୧ହଜାର ଟଙ୍କା ଜରିମାନା ହେବ ବୋଲି ତାଗିଦ କରାଯାଇଥିଲା। ହେଲେ ଯେତେବେଳେ ପାର୍କିଂ ଆରମ୍ଭ ହେଲା କୌଣସି ଗୋଟିଏ ସର୍ତ୍ତକୁ ଠିକାଦାର ମାନିଲେନି। ଯେଉଁ ଫି’ ୧୦ ଟଙ୍କା ଥିଲା ତାହାର ୫ ଗୁଣ ବା ୫୦ ଟଙ୍କା ଆଦାୟ ହେଲା। ଯାହା ୨୦ ଟଙ୍କା ଥିଲା ତାହାର ୧୦ ଗୁଣ ବା ୨୦୦ ଟଙ୍କା ଆଦାୟ ହେଲା।

ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଏମ୍‌ସି ଧାର୍ଯ୍ୟ ଦର ସମ୍ପର୍କିତ ଏକ ହୋର୍ଡିଂ ଲଗାଇଥିଲା। କିନ୍ତୁ  ୨୪ ଘଣ୍ଟା ଭିତରେ ଏହାକୁ ହଟାଇ ଦିଆଗଲା। ୫ଟି ଯାକ ପାର୍କିଂ ସ୍ଥାନ ମଧ୍ୟରୁ ଗୋଟିଏ ଜାଗାରେ ମଧ୍ୟ ଏହି ସରକାରୀ ହୋର୍ଡିଂ ନାହିଁ। ବିଏମ୍‌ସି ଅଫିସରଙ୍କ ଆଖି‌ରେ ଆଙ୍ଗୁଠି ଗେଞ୍ଜି ଏହି ସରକାରୀ ହୋର୍ଡିଂ ହଟାଇ ଦେବା ସହ ପୂର୍ବବତ୍‌ ଧାର୍ଯ୍ୟ ଦେୟ ଠାରୁ ଅଧିକ ଆଦାୟ ହେଲା। ଠିକା ସଂସ୍ଥା ସହ‌ିତ ବିଏମ୍‌ସି ଅଧିକାରୀମାନେ ହାତ ମିଳାଇ ଶେଷଣର ବାଟ ଖୋଲିଥିବା ଅଭିଯୋଗ ହୋଇଛି। ଏପଟେ ଠିକାଦାରମାନେ ଦୟା କରିଛନ୍ତି। ପୂର୍ବରୁ ଯେଉଁ ୧୦ ଟଙ୍କା ଜାଗାରେ ୫୦ ଟଙ୍କା ନେଉଥିଲେ, ସେଥିରେ ୨୦ ଟଙ୍କା କମ୍‌ କରିଛନ୍ତି। ଅର୍ତାତ୍‌, ୧୦ ଟଙ୍କା ଫି’କୁ ୩ଗୁଣା କରି ୩୦ ଟଙ୍କା ନେଉଛନ୍ତି। କାର୍‌ ପିଛା ୦ ଟଙ୍କା ଜାଗାରେ ୭୦ ଟଙ୍କା ନିଆଯାଉଛି। ଏ ନେଇ ବିଏମ୍‌ସି କିଛି କହିବା ପାଇଁ ଚାହିନାହିଁ।

Leave a Reply

Your email address will not be published. Required fields are marked *