ସୋମବାରଠୁ ୟୁଜର୍ସ ଫି
1 min read

ସୋମବାରଠୁ ୟୁଜର୍ସ ଫି

ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) : ଆବର୍ଜନା ପରିଚାଳନା ବିଏମ୍‌ସି ପାଇଁ ଆହ୍ବାନ ହୋଇ ଛିଡ଼ାହୋଇଛି। ମୋ ଖତରୁ ଆରମ୍ଭ କରି ବାୟୋମାଇନିଂ, ବାୟୋମିଥେନ୍‌ ଓ ୱେଷ୍ଟ-ଟୁ-ଏନର୍ଜି ବ୍ୟବସ୍ଥା ବିଏମ୍‌ସି ଆପଣେଇଛି। କିନ୍ତୁ କେତେକ ବଡ଼ବଡ଼ ପ୍ରତିଷ୍ଠାନ ଅଧିକ ଆବର୍ଜନା ଉତ୍ପନ୍ନ କରୁଥିଲେ ମଧ୍ୟ ବିଏମ୍‌ସି କଟକଣାରୁ ଦୂରରେ ଅଛନ୍ତି। ବର୍ଷ ବର୍ଷ ଧରି ଏମାନେ କେବଳ ବିଏମ୍‌ସିର ମୁଣ୍ଡବିନ୍ଧା ସାଜିନାହାନ୍ତି ବରଂ ଏମାନଙ୍କ ଆବର୍ଜନା ପାଇଁ ସାଧାରଣ ଲୋକ ଭୋଗୁଛନ୍ତି। ବିଏମ୍‌ସି କୋଟି କୋଟି ଟଙ୍କା ରାଜସ୍ବ ମଧ୍ୟ ହରାଉଛି। ଏଥର ଆଉ କ୍ଷମା ନାହିଁ। ଆସନ୍ତା ସୋମବାର ଠାରୁ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରୁ ୟୁଜର୍ସ ଫି ଆଦାୟ ହେବ। ବିଏମ୍‌ସି ସର୍ଭେ ଆଧାରରେ ଚିହ୍ନଟ ହୋଇଥିବା ୩୨ହଜାର ବାଣିଜ୍ୟିକ ପ୍ରତିଷ୍ଠାନରୁ ନିୟମିତ ୟୁଜର୍ସ ଫି ଆଦାୟ ହେବା ସହ ଅନିୟମିତତା ହେଲେ ଜରିମାନା କରାଯିବ। ସୀମା ଲଂଘିଲେ ପ୍ରତିଷ୍ଠାନଗୁଡ଼ିକୁ ସିଲ୍‌ କରିଦିଆଯିବ। ଯୋଜନା ସଫଳ ହେଲେ ବାର୍ଷିକ ୨୫ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇପାରିବ ବୋଲି ବିଏମ୍‌ସି ଆକଳନ କରିଛି। 

୩୨ ହଜାର ବାଣିଜ୍ୟିକ ପ୍ରତିଷ୍ଠାନ ଭିତରେ ୨୦୩ ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ସଂସ୍ଥା ରହିଛନ୍ତି। ଯେଉଁମାନେ ବିପଜ୍ଜନକ ବର୍ଜ୍ୟ ଉତ୍ପନ୍ନ କରନ୍ତି। ଏହି ସବୁ ବର୍ଜ୍ୟ ପ୍ରାକୃତିକ ନାଳ ଓ ଡ୍ରେନ୍‌ରେ ମିଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି। ପରିଚାଳନା ନହୋଇ ଏହା ଗଙ୍ଗୁଆ ଦେଇ ଦୟାକୁ ଯାଉଥିବାରୁ ଭୁବନେଶ୍ବର ସହ ଉପକଣ୍ଠ ଓ ସୀମାନ୍ତ ଜିଲ୍ଲାରେ ମଧ୍ୟ ବିପଦ ସୃ‌ଷ୍ଟି କରିଛି। ଏହି ସବୁ ଅନୁଷ୍ଠାନକୁ ଏବେ ଟାର୍ଗେଟ୍‌ କରାଯାଇଛି। ଏହା ସହିତ ହୋଟେଲ, ରେସ୍ତୋରାଁ, ମଦ ଦୋକାନ, କ୍ଲିନିକ, ବିୟୁଟିପାର୍ଲର, ସେଲୁନ୍, କଲ୍ୟାଣମଣ୍ଡପ, ଶିଳ୍ପାନୁଷ୍ଠାନ ଆଦିକୁ ୟୁଜର୍ସ ଫି ଆଦାୟ ପାଇଁ ତାଲିକାଭୁକ୍ତ କରାଯାଇଛି। ଏଥିପାଇଁ ୩୯ଟି ଟିମ୍‌ ଗଠନ କରାଯାଇଛି। ୱାର୍ଡ ଅଫିସର ଟିମ୍‌ର ‌ନେତୃତ୍ବ ନେଉଥିବା ବେଳେ ମିସ୍‌ ସର୍କାର, ସାନିଟାରି ଇନ୍‌ସ୍‌ପେକ୍ଟର, ସ୍ବଚ୍ଛସାଥୀ ଓ ସୁରକ୍ଷାକର୍ମୀ ରହିଛନ୍ତି। ଏମାନେ ପ୍ରତିଷ୍ଠାନରୁ ପ୍ରତିଷ୍ଠାନ ବୁଲି ୟୁଜର୍ସ ଫି ସମେତ ହୋଲ୍ଡିଂ ଟିକସ ଓ ଟ୍ରେଡ୍‌ ଲାଇସେନ୍ସ ଆଦାୟ କରିବେ। ସବୁ ଟିମ୍‌କୁ ପିଓଏସ୍‌ ମେସିନ୍‌ ଦଆଯାଇଛି। ନଗଦ କାରବାର ହେଲେ ହରିଲୁଟ୍‌ କରିବା ସମ୍ଭାବନା ଥିବାରୁ ଅନ୍‌ଲାଇନ୍‌ ଦେୟ ଆଦାୟ ବ୍ୟବସ୍ଥା କରାଯାଇଛି।

ପ୍ରତ୍ୟେକ ଟିମ୍‌ ବୁଲିବା ବେଳେ ସମ୍ପୃକ୍ତ ପ୍ରତିଷ୍ଠାନର ହୋଲ୍ଡିଂ ଟିକସ ସ୍ଥିତି ଯାଞ୍ଚ କରିବେ। ଯଦି ଏହାର ଆକଳନ କରାଯାଇ ନାହିଁ ତେବେ ଘଟଣାସ୍ଥଳରେ କରି ଡିମାଣ୍ଡ ନୋଟିସ୍‌ ଦେବେ। ସେହିଭଳି ଟ୍ରେଡ୍‌ ଲାଇସେନ୍ସ ମଧ୍ୟ ଯାଞ୍ଚ କରିବେ। ଯେବେ ଠାରୁ ଆଦାୟ ହୋଇ ନଥିବ ସେବେଠାରୁ ହିସାବ କରି ନୋଟିସ୍‌ ଦେବେ। ଧାର୍ଯ୍ୟ ସମୟରେ ଦେୟ ଦାଖଲ ନକଲେ ଜରିମାନା କରାଯିବ। ପରେ ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍‌ କରିଦିଆଯିବ। ବିଏମ୍‌ସି କରିଥିବା ଆକଳନ ମୁତାବକ ୮୦ ପ୍ରତିଶତ ପ୍ରତିଷ୍ଠାନର ହୋଲ୍ଡିଂ ଟିକସ ଆକଳନରେ ତ୍ରୁଟି ରହିଛି। ଗୃହ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲେ ମଧ୍ୟ ଆବାସିକ ଟିକସ କରାଯାଇଛି। ୱାର୍ଡ ଅଫିସରମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ଆକଳନ(ଆସେସ୍‌) କରିନାହାନ୍ତି। କେତେକ କର୍ମଚାରୀ ନିଜ ଓ ସମ୍ପର୍କୀୟଙ୍କ ଘରକୁ ହୋଲ୍ଡିଂ କରାଇ ନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ବିଏମ୍‌ସି ରାଜସ୍ବ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରୁ ନାହିଁ। 

ସୂଚନାଯୋଗ୍ୟ, ଅଣତାରକାରୁ ୫ ତାରକା ହୋଟେଲ ପର୍ଯ୍ୟନ୍ତ ୧୫୦୦ରୁ ୧୦ହଜାର ଟଙ୍କା, ଦୋକାନ ଓ ସପିଂ ମଲ୍‌ରେ ଥିବା ଦୋକାନ ପାଇଁ ୧୦୦ରୁ ୫୦୦ଟଙ୍କା (ହଜାରେ ବର୍ଗଫୁଟ ପର୍ଯ୍ୟନ୍ତ), ଏହାଠାରୁ ଅଧିକ ଥିଲେ ୧୦ବର୍ଗଫୁଟ ପାଇଁ ଅତିରିକ୍ତ ୨ଟଙ୍କା ଲେଖାଏଁ ୟୁଜର୍ସ ଫି ଦେବାକୁ ପଡ଼ିବ। ପାଥୋଲାବ୍, କ୍ଲିନିକ ଓ ହସ୍ପିଟାଲ ପାଇଁ ୫୦୦ରୁ ୫ହଜାର ଟଙ୍କା, ୨୦୦ରୁ ଅଧିକ ଥିଲେ ୫ ହଜାର ଟଙ୍କା, ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସ ପାଇଁ ପ୍ରତି ସିଟ୍ ପିଛା ୧୦ଟଙ୍କା ରହିଛି। ଏହା ବାଦ୍‌ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଆକାର ଅନୁସାରେ ଦେୟ ଧାର୍ଯ୍ୟ ହୋଇଛି। ତେବେ ଯେଉଁ ଆପାର୍ଟମେଣ୍ଟ ନିଜର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରକଳ୍ପ ପ୍ରତିଷ୍ଠା କରିବା କଥା, ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କରୁନାହାନ୍ତି। ସେମାନଙ୍କୁ ଏ ଯାବତ୍‌ ବିଏମ୍‌ସି ଧରିପାରିନାହିଁ।

Leave a Reply

Your email address will not be published. Required fields are marked *