୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଜଳିଗଲା ୩ ପରିବା ଗୋଦାମ
ରାତି ପ୍ରାୟ ସାଢ଼େ ୧୧ଟାରେ ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିବାରୁ ୩ଟି ପରିବା ଗୋଦାମ ପୋଡ଼ି ଛାରଖାର ହୋଇଯାଇଛି। ସୌଭାଗ୍ୟକୁ ଏଥିରେ ଜୀବନହାନି ଭଳି ଅଘଟଣ ଘଟିନାହିଁ।
ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ରାତି ପ୍ରାୟ ସାଢ଼େ ୧୧ଟାରେ ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିବାରୁ ୩ଟି ପରିବା ଗୋଦାମ ପୋଡ଼ି ଛାରଖାର ହୋଇଯାଇଛି। ସୌଭାଗ୍ୟକୁ ଏଥିରେ ଜୀବନହାନି ଭଳି ଅଘଟଣ ଘଟିନାହିଁ। ନିଆଁ ପୂରା ହାଟକୁ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ପହଞ୍ଚିଯିବାରୁ ସ୍ଥିତି ଆୟତ୍ତାଧୀନ ହୋଇଥିଲା। ତେବେ ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ପରିବା ପୋଡ଼ି ନଷ୍ଟ ହୋଇଥିବା କୁହାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। କୌଣସି ଗୋଦାମରେ ସର୍ଟ ସର୍କିଟ୍ ହେବାରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଖବର ଅନୁସାରେ ରାତିରେ ହାଟ ବନ୍ଦ ହେବା ପରେ ଗୋଦାମରେ ତାଲା ପକାଇ ବ୍ୟବସାୟୀମାନେ ଶୋଇପଡ଼ିଥିଲେ। ଏକ ଗୋଦାମରେ ନିଆଁ ଲାଗିବା ଦେଖି ବ୍ୟବସାୟୀଜଣକ ବାହାରକୁ ପଳାଇ ଆସି ପାଟି କରିଥିଲେ।
ଚିତ୍କାର ଶୁଣି ପାଖ ବ୍ୟବସାୟୀମାନେ ନିଦରୁ ଉଠି ବାହାରକୁ ପଳାଇଆସିଥିଲେ। ନିମିଷେକ ମଧ୍ୟରେ ହାଟରେ ଶୋଇଥିବା ବ୍ୟବସାୟୀମାନେ ଖବର ପାଇଯାଇଥିଲେ ଏବଂ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା। ତେବେ ସମସ୍ତେ ଏକାଠି ହୋଇ ନିଆଁରେ ପାଣି ପକାଇ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଜରିପାଲ, ଅଖା, ପ୍ଲାଷ୍ଟିକ୍ ଟ୍ରେ, ବାଉଁଶ ଓ ବାଉଁଶପାତିଆ ବାଡ଼ ଭଳି ଜିନିଷ ସବୁ ହୁତହୁତ ହୋଇ ଜଳିବାରୁ ନିଆଁ ଖୁବ୍ ଜୋର୍ରେ ମାଡ଼ିଯାଇଥିଲା। ଚାହୁଁଚାହୁଁ ୩ଟି ଗୋଦାମ ଭୟଙ୍କର ଭାବେ ଜଳିବାକୁ ଲାଗିଥିଲା। କିନ୍ତୁ ଅନ୍ୟ ଗୋଦାମକୁ ନିଆଁ ମାଡ଼ିବା ପୂର୍ବରୁ ଦମକଳ ବାହିନୀ ପହଞ୍ଚିଯାଇଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପରେ ବ୍ୟବସାୟୀମାନେ ଆଶ୍ବସ୍ତ ହୋଇଥିଲେ।