ଜନ୍ମମାଟିରେ ମହିଳାଙ୍କ ସହ ନାଚିଲେ ରାଷ୍ଟ୍ରପତି

ବାରିପଦା/ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଭାବପ୍ରବଣ ହୋଇ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ନିଜ ଜନ୍ମସ୍ଥାନ ଉପରବେଡା ଗ୍ରାମ ପରିଦର୍ଶନ କରିବା ସମୟରେ ମହିଳାଙ୍କ ସହ ନାଚିଛନ୍ତି। ମହିଳାଙ୍କ ପାରମ୍ପରିକ ସାନ୍ତାଳୀ ନୃତ୍ୟ ଦେଖି ସେ ନିଜକୁ ରୋକି ପାରି ନ ଥିଲେ। ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଉପରବେଡା ଗ୍ରାମକୁ ଯାଇଛନ୍ତି। ରାଷ୍ଟ୍ରପତି ସେଠାରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୨୫ ଜୁଲାଇ  ୨୦୨୨ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ତାଙ୍କ ପୈତୃକ ଘର ପରିଦର୍ଶନ କରିବାକୁ ଯାଇଛନ୍ତି।  ରଙ୍ଗବେରଙ୍ଗ ଆଲୋକ ଏବଂ ରଙ୍ଗୋଲିରେ ସଜାଯାଇଥିବା ଉପରବେଡା ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ଧରଣର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସତେ ଯେପରି ସ୍ଥାନୀୟ ଲୋକମାନେ କିଛି ଉତ୍ସବ ପାଳନ କରୁଛନ୍ତି। ଏପରିକି ଗ୍ରାମବାସୀମାନେ ତାଙ୍କ ଘରକୁ ନୂତନ ରଙ୍ଗରେ ରଙ୍ଗ କରିଥିଲେ ଏବଂ ତାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର ସ୍ଥାନୀୟ ଖାଦ୍ୟ ପ୍ରସ୍ତୁତ କରିଥିଲେ।

ଘରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦେଖିଲେ ଯେ ପାରମ୍ପାରିକ ପୋଷାକ ପିନ୍ଧିଥିବା ସାନ୍ତାଳୀ  ମହିଳା ଦଳ ଗୀତର ତାଳ‌େତାଳେ ନାଚୁଛନ୍ତି। ରାଷ୍ଟ୍ରପତି ସେସବୁ ଦେଇ ଏତେ ଭାବପ୍ରବଣ ହୋଇଗଲେ ଯେ ସେ ସେମାନଙ୍କ ସହ ନାଚିବାକୁ ଆରମ୍ଭ କରିଥିଲେ। ସତେ ଯେପରି ସେ ସେମାନଙ୍କ ମଧ୍ୟରୁ ସାଧାରଣ ମହିଳା।  ଏହା ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ରାଷ୍ଟ୍ରପତି ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ରାଇରଙ୍ଗପୁରରେ ମହିଳା ମହାବିଦ୍ୟାଲୟଙ୍କ ଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ। ଆସନ୍ତାକାଲି ସେ କିଛି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହା ସହିତ ବାଙ୍ଗିରିପୋସି-ଗୋରୁମାହିଷାଣି ସମେତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ। ସେସବୁ ପ୍ରକଳ୍ପ ମଧ୍ୟରେ ବୁରାମରା-ଚାକୁଲିଆ ଏବଂ ବାଦାମପାହାଡ଼-କେନ୍ଦୁଝରଗଡ ରେଳ ଲାଇନ, ରାଇରଙ୍ଗପୁରର ଆଦିବାସୀ ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର, ରାଇରଙ୍ଗପୁରର ଡାଣ୍ଡବୋସ୍ ବିମାନବନ୍ଦର, ଏବଂ ରାଇରଙ୍ଗପୁରର ସବ୍-ଡିଭିଜନାଲ ହସ୍ପିଟାଲ ଆଦି ରହିଛି।

Leave A Reply

Your email address will not be published.