ନୂଆଁଖାଇ: ପଶ୍ଚିମ ଓଡ଼ିଶାର ଏକତା ଓ ଭାଇଚାରାର ମହାପର୍ବ
1 min read

ନୂଆଁଖାଇ: ପଶ୍ଚିମ ଓଡ଼ିଶାର ଏକତା ଓ ଭାଇଚାରାର ମହାପର୍ବ

ପୁରୁଣା ସମୟରେ ଦେବଦେବୀଙ୍କ ଉପାସନା ଓ ଆନନ୍ଦ ପ୍ରକାଶର ପରମ୍ପରା ଆଦିମ ସଭ୍ୟତାରୁ ରହିଆସିଛି। ସମୟ ବଦଳିବା ସହ ଏହାର ରୂପ ମଧ୍ୟ ବଦଳିଛି। ଏହି ପରମ୍ପରାର ଏକ ଅନନ୍ୟ ରୂପ ହେଉଛି ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇ। ଏହାକୁ ନବାନ୍ନ ଭକ୍ଷଣର ପର୍ବ ମଧ୍ୟ କୁହାଯାଏ।

ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ଦିନ ମହାସମାରୋହରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ କରାଯାଏ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପରିବାର ଏହି ପର୍ବକୁ ଆନନ୍ଦର ସହ ପାଳନ କରନ୍ତି। ଏହା କେବଳ ନୂଆ ଧାନ ଖାଇବାର ପର୍ବ ନୁହେଁ; ଏହା ଶ୍ରଦ୍ଧା, ଭକ୍ତି, କୃତଜ୍ଞତା, ଭାଇଚାରା ଓ ସମର୍ପଣର ପର୍ବ।

ନୂଆଁଖାଇ ପୂର୍ବରୁ ଲୋକେ ଘରଦ୍ୱାର ସଫା କରନ୍ତି, ନୂଆ ପୋଷାକ କିଣନ୍ତି ଏବଂ ପର୍ବ ପାଇଁ ପ୍ରସ୍ତୁତ ହୁଅନ୍ତି। ନିର୍ଦ୍ଧାରିତ ଲଗ୍ନରେ ପରିବାରର ମୁଖିଆ ନୂଆ ଧାନରୁ ପ୍ରସ୍ତୁତ ଭାତ କିମ୍ବା କ୍ଷୀରିକୁ ପ୍ରଥମେ ନିଜ ଇଷ୍ଟଦେବୀ ଓ ଗ୍ରାମଦେବତୀଙ୍କୁ ଅର୍ପଣ କରନ୍ତି। ପଶ୍ଚିମ ଓଡ଼ିଶାରେ ମା’ ସମଲେଶ୍ୱରୀଙ୍କୁ ନୂଆଁଖାଇର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା କରାଯାଏ। ସମ୍ବଲପୁରରେ ମା’ ସମଲେଶ୍ୱରୀ, ସୋନପୁରରେ ସୁରେଶ୍ୱରୀ, ଭବାନୀପାଟଣାରେ ମାଣିକେଶ୍ୱରୀ ଓ ବଲାଙ୍ଗୀରରେ ପାଟଣେଶ୍ୱରୀଙ୍କୁ ପ୍ରଥମେ ନୂଆଁ ଧାନର ନୈବେଦ୍ୟ ଲାଗି ହୋଇଥାଏ।

ପୂଜା ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ଖାଆନ୍ତି। ଏହାପରେ ସାନମାନେ ବଡ଼ମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ପରମ୍ପରା ରହିଛି। ଏହାକୁ ‘ନୂଆଁଖାଇ ଜୁହାର’ କୁହାଯାଏ। ଏହି ସମୟରେ ପରସ୍ପରକୁ ‘ଜିଇଁ ଜାଗିଥାଅ, ବର୍ଷେ ବର୍ଷେ’ ବୋଲି ଶୁଭେଚ୍ଛା ଦିଆଯାଏ। ଏହି ଦିନ ପୁରୁଣା ରାଗ, ଅଭିମାନ ଓ ମନୋମାଳିନ୍ୟ ଭୁଲି ସମସ୍ତେ ପରସ୍ପରକୁ ଆଲିଙ୍ଗନ କରନ୍ତି।

ନୂଆଁଖାଇ ପର୍ବର ଆଉ ଏକ ବଡ଼ ଆକର୍ଷଣ ହେଉଛି ଲୋକସଂସ୍କୃତି। ସନ୍ଧ୍ୟା ସମୟରେ ଗାଁ ଗହଳିରେ ନାଚଗୀତର ଆସର ଜମେ। ଡାଲଖାଇ, ରସରକେଲି ଓ ମାଏଲାଜଡ଼ ଭଳି ପାରମ୍ପରିକ ଲୋକନୃତ୍ୟ ସହ ସମ୍ବଲପୁରୀ ଗୀତରେ ପରିବେଶ ମୁଖରିତ ହୋଇଉଠେ।

ନୂଆଁଖାଇ ତିଥି ନିର୍ଦ୍ଧାରଣ

ନୂଆଁଖାଇର ତିଥି ସାଧାରଣତଃ ଗୋଟିଏ ଦିନରେ ସୀମିତ ନୁହେଁ। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀରୁ ଦଶମୀ ମଧ୍ୟରେ ଏହି ପର୍ବ ପାଳନ କରିବାର ପରମ୍ପରା ରହିଛି। ବିଭିନ୍ନ ଅଞ୍ଚଳ ନିଜ ନିଜ ପରମ୍ପରା ଓ ଜ୍ୟୋତିଷ ଗଣନା ଅନୁସାରେ ନୂଆଁଖାଇର ତିଥି ଓ ଲଗ୍ନ ନିର୍ଦ୍ଧାରଣ କରନ୍ତି।

ଆଧୁନିକ ସମୟରେ ପଶ୍ଚିମ ଓଡ଼ିଶାର ଅନେକ ଲୋକ ଚାକିରି ଓ ବ୍ୟବସାୟ ପାଇଁ ବାହାରେ ରହୁଛନ୍ତି। ତେଣୁ ସମସ୍ତଙ୍କୁ ନିଜ ଗାଁକୁ ଫେରି ଏକାଠି ନୂଆଁଖାଇ ପାଳନ କରିବା ସବୁବେଳେ ସମ୍ଭବ ହେଉନାହିଁ। ଏହି ସମସ୍ୟାକୁ ଦେଖି ସମ୍ବଲପୁର ମନ୍ଦିରର ପଣ୍ଡିତ ମହାସଭା ନୂଆଁଖାଇ ପାଇଁ ଏକ ସ୍ଥିର ତିଥି ନିର୍ଦ୍ଧାରଣ ପ୍ରସ୍ତାବ ରଖିଥିଲେ।

ସେହି ଅନୁସାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ନୂଆଁଖାଇର ସରକାରୀ ଛୁଟି ଭାବେ ଧାର୍ଯ୍ୟ କରାଯାଇଛି। ଫଳରେ ସମସ୍ତେ ଏକାଠି ଛୁଟି ନେଇ ନିଜ ଘରକୁ ଫେରି ପର୍ବ ପାଳନ କରିପାରୁଛନ୍ତି।

ତଥାପି ଅନେକ ଆଦିବାସୀ ସମ୍ପ୍ରଦାୟ ଓ ପୁରୁଣା ପରମ୍ପରାକୁ ମାନୁଥିବା ଲୋକେ ନିଜ ଗ୍ରାମଦେବତୀଙ୍କ ନିର୍ଦ୍ଦେଶ ଓ ସ୍ଥାନୀୟ ପରମ୍ପରା ଅନୁସାରେ ନୂଆଁଖାଇ ପାଳନ କରୁଛନ୍ତି। ତେଣୁ କେତେକ ଅଞ୍ଚଳରେ ପଞ୍ଚମୀ ପୂର୍ବରୁ କିମ୍ବା ପରେ ମଧ୍ୟ ନୂଆଁଖାଇ ପାଳନ ହେଉଥିବା ଦେଖାଯାଏ।

ନୂଆଁଖାଇ ଆଜି କେବଳ ପଶ୍ଚିମ ଓଡ଼ିଶାର ଏକ ପର୍ବ ହୋଇ ରହିନାହିଁ। ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ମଧ୍ୟ ଏହାକୁ ଏକାଠି ପାଳନ କରୁଛନ୍ତି। ନୂଆଁଖାଇ ନୂଆ ଆଶା, ବିଶ୍ୱାସ ଓ ମୈତ୍ରୀର ବାର୍ତ୍ତା ଦେବା ସହ ପଶ୍ଚିମ ଓଡ଼ିଶାର ଜୀବନ ଓ ସଂସ୍କୃତି ସହ ନିଜର ଗଭୀର ସମ୍ପର୍କକୁ ଆଜି ମଧ୍ୟ ବଜାୟ ରଖିଛି।

Leave a Reply

Your email address will not be published. Required fields are marked *