ଗୋପାଳନ ଯୋଜନାରେ ଋଣ ମିଳୁନି: ସେବା ସମବାୟ ସମିତିର ଟାଳଟୁଳ ନୀତିକୁ ନେଇ ଗୋପାଳକଙ୍କ ଅସନ୍ତୋଷ
ଖୋର୍ଦ୍ଧା: ନିମ୍ନସ୍ତରରେ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ଗୋପାଳନ ଯୋଜନାରେ ସୋସାଇଟି ସହାୟତାରେ ଋଣ ଯୋଗାଇ ଦିଆଯାଉଛି। ହେଲେ ସୋସାଇଟିର ଟାଳଟୁଳ ନୀତି ଯୋଗୁଁ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ୍ ଛଣଗିରି ପଞ୍ଚାୟତ ଅଧୀନ ନିମେଇପୁରର ୪ ନମ୍ବର ୱାର୍ଡରେ ବସବାସ କରୁଥିବା ଗୋପାଳକ ପରିବାରଙ୍କ କ୍ଷେତ୍ରରେ।
ଗୋପାଳକ ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୧୭ ତାରିଖରେ ସେ ନିଜ ଧର୍ମପତ୍ନୀ ଚିନ୍ମୟୀ ଜେନାଙ୍କ ନାମରେ ଗୋପାଳନ ଯୋଜନାରେ ଋଣ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟରେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଭିତ୍ତିକରି ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଥିଲା। ଏପରିକି ବିଭାଗୀୟ ପ୍ରଶାସନ ପକ୍ଷରୁ ୬ ମାସ ମଧ୍ୟରେ ହିତାଧିକାରୀଙ୍କୁ ଋଣ ଦେବାକୁ କୁହାଯାଇଥିଲା।
ହେଲେ ଇତିମଧ୍ୟରେ ୭ ମାସ ବିତିଯାଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଇକସିଂହ ସେବା ସମବାୟ ସମିତି, ଛଣଗିରି ପକ୍ଷରୁ ଋଣ ଦିଆଯାଉନଥିବା ଅଭିଯୋଗ ହୋଇଛି।
ସେହିପରି ଆବେଦନକାରୀ ମଧୁସ୍ମିତା ମହାନ୍ତିଙ୍କ ସ୍ୱାମୀ ବିଚିତ୍ର ମୋହନ ମହାନ୍ତିଙ୍କ କହିବା ଅନୁଯାୟୀ, ଋଣ ହେବାର ଦିନ ପରେ ଦିନ ଗଡ଼ିବା ପରେ ସେମାନେ ବାରମ୍ବାର ବିଭାଗ ପାଖକୁ ଦୌଡ଼ିଥିଲେ। ବିଭାଗ ପକ୍ଷରୁ ଖୋର୍ଦ୍ଧା ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିଙ୍କ୍ରେ ଖାତା ଖୋଲିବାକୁ କୁହାଯାଇଥିଲା। ସେମାନେ ମଧ୍ୟ ୧ ହଜାର ଟଙ୍କା ଜମା କରି ଖାତା ଖୋଲିଥିଲେ। ହେଲେ ଏହାର ଫଳ ଶୂନ ବୋଲି ଅଭିଯୋଗ କରିଛନ୍ତି।
ଏନେଇ ବାରମ୍ବାର ଖୋର୍ଦ୍ଧା ମୁଖ୍ୟ ପଶୁ କାର୍ଯ୍ୟାଳୟ, ଟାଙ୍ଗୀ ବ୍ଲକ୍ କାର୍ଯ୍ୟାଳୟ ଏବଂ ଟାଙ୍ଗୀ ବ୍ଲକ୍ ସମବାୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟକୁ ଯାଇ ଶାଖା ପରିଚାଳକଙ୍କୁ ଭେଟିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁନଥିବା ଗୋପାଳକ ଶ୍ରୀକାନ୍ତ ଜେନା ଅଭିଯୋଗ କରିଛନ୍ତି।
ପରିସ୍ଥିତି ଏଭଳି ଯେ ଗୁହାଳ ଖଣ୍ଡିଏ ଅଭାବରୁ କେହି ଗାଈଗୋରୁଙ୍କୁ ଖୋଲା ଆକାଶ ତଳେ ବାନ୍ଧି ରଖୁଛନ୍ତି। ଆଉ କେତେକ ଗୋପାଳକ ଅର୍ଥାଭାବରୁ ସ୍ୱଳ୍ପ ଅର୍ଥରେ ପଲିଥିନ୍ ଜରିପାଲ ଟାଣି ଅତି ବିପଦସଙ୍କୁଳ ଅବସ୍ଥାରେ ଗାଈଗୋରୁଙ୍କୁ ରଖିଛନ୍ତି।
ତେବେ ଋଣ କାହିଁକି ଦିଆଯାଉନାହିଁ ବୋଲି ଇକସିଂହ ସେବା ସମବାୟ ସମିତି, ଛଣଗିରିର ସମ୍ପାଦକ ରଘୁନାଥ ବସନ୍ତରାଙ୍କୁ ପଚାରିବାରୁ, ଆବେଦନକାରୀମାନେ ଆବଶ୍ୟକ କାଗଜପତ୍ର ଦାଖଲ କରିନଥିବାରୁ ବିଲ୍ ପାସ୍ ହୋଇନଥିବା ସଫେଇ ଦେଇଛନ୍ତି।
ଅନ୍ୟପକ୍ଷରେ, ଆବେଦନକାରୀମାନେ ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲ କରିଥିବା ଦାବି କରିଛନ୍ତି। ତେଣୁ ଆବେଦନକାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ଯୋଜନାରେ ଋଣ ଯୋଗାଇ ଦେବାକୁ ଗୋପାଳକ ମହଲରେ ଦାବି ହୋଇଛି।
