ଭଦ୍ରକ ଷ୍ଟାଡିୟମ୍ରେ ଭଙ୍ଗାରୁଜା ଅଭିଯୋଗ: ୧୨ କ୍ରୀଡ଼ା ସଂଘର କାର୍ଯ୍ୟାଳୟ ମାଟିରେ ମିଶାଇଦେଲେ ଠିକାଦାର!
ଭଦ୍ରକ: ୫ ଏକର ପରିମିତି ଭୂମିରେ ଥିବା ଭଦ୍ରକର ଐତିହାସିକ ନେହରୁ ଷ୍ଟାଡିୟମ୍କୁ ନେଇ ପୁଣି ବିବାଦ ଦେଖାଦେଇଛି। ଷ୍ଟାଡିୟମ୍ର ମରାମତି ଓ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବାବେଳେ ଠିକାଦାରଙ୍କ ପୋକଲିନ୍ ମେସିନ୍ ଷ୍ଟାଡିୟମ୍ ପରିସରରେ ଥିବା ୧୨ଟି କ୍ରୀଡ଼ା ସଂଘର କାର୍ଯ୍ୟାଳୟକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଜିଲ୍ଲା ଅଲିମ୍ପିକ୍ ସଂଘର କର୍ମକର୍ତ୍ତାମାନେ ଥାନାରେ ଅଭିଯୋଗ କରିଛନ୍ତି।
ଜିଲ୍ଲା ଅଲିମ୍ପିକ୍ ସଂଘର ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ, କ୍ରୀଡ଼ା ସଂଘଗୁଡ଼ିକର କାର୍ଯ୍ୟାଳୟ ସମ୍ବନ୍ଧୀୟ ଆସବାବପତ୍ର, ନଥିପତ୍ର, ଖେଳାଳିଙ୍କ ମେଡାଲ୍, ମେମେଣ୍ଟୋ, ସାର୍ଟିଫିକେଟ୍ ଆଦିର ପତ୍ତା ମିଳୁନାହିଁ। ଏସବୁ ସାମଗ୍ରୀ ଚୋରି କରି ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ପ୍ରାୟ ୧୦ ଲକ୍ଷ ଟଙ୍କାର ଆସବାବପତ୍ର ସମେତ ଖେଳ ଉପକରଣ ଓ ଖେଳାଳିଙ୍କ ସାମଗ୍ରୀ କେଉଁଠି ଅଛି, ସେ ସମ୍ପର୍କରେ ଠିକାଦାର କୌଣସି ସୂଚନା ଦେଉନଥିବା ସଂଘ ପକ୍ଷରୁ କୁହାଯାଇଛି। ଏନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବାବେଳେ ଅନୁଧ୍ୟାନ ଚାଲିଛି ବୋଲି ଟାଉନ୍ ଥାନା ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ବିଭିନ୍ନ କ୍ରୀଡ଼ା ସଂଘର କାର୍ଯ୍ୟାଳୟ ଘର ଉଚ୍ଛେଦକୁ ବିରୋଧ କରାଯାଇଥିଲା। ଗତ ଜୁଲାଇ ୧୫ ତାରିଖରେ ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇଥିଲା। କ୍ରୀଡ଼ା ସଂଘଗୁଡ଼ିକର ଘର ଉଚ୍ଛେଦ କରାଗଲେ ମଧ୍ୟ ସେମାନଙ୍କୁ ପୁନଃ ଥଇଥାନ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା।
ଏଥିସହ ଷ୍ଟାଡିୟମ୍ର ଉନ୍ନତୀକରଣ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ବିଭିନ୍ନ କ୍ରୀଡ଼ା ସଂଘର ପ୍ରତିନିଧି ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା କ୍ରୀଡ଼ାବିତ୍ମାନେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, କ୍ରୀଡ଼ାପ୍ରେମୀମାନଙ୍କ ଅଭିଯୋଗ ହେଉଛି, ଷ୍ଟାଡିୟମ୍ର ଜମି ଭଦ୍ରକ ହାଇସ୍କୁଲ୍ର। ଏହାକୁ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଷ୍ଟାଡିୟମ୍ର ଉନ୍ନତୀକରଣ ନାଁରେ ପୂର୍ବ ସରକାରଙ୍କ ସମୟରେ ଏବଂ ବର୍ତ୍ତମାନ ସରକାରଙ୍କ ପ୍ରଥମାର୍ଦ୍ଧରେ ଠିକାଦାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ପୈଠ ହୋଇଥିଲେ ମଧ୍ୟ ଷ୍ଟାଡିୟମ୍ରେ ସେହି ଅନୁପାତରେ ଉନ୍ନତି ଦେଖାଯାଇନଥିବା ସେମାନେ କହିଛନ୍ତି।
ଏପରିକି ଷ୍ଟାଡିୟମ୍ରେ ଜିଲ୍ଲା ପ୍ରଶାସନ ସ୍ୱାଧୀନତା ଦିବସ ପାଳନ କରିପାରିନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଐତିହାସିକ ନେହରୁ ଷ୍ଟାଡିୟମ୍ର ଉନ୍ନତୀକରଣ ନାଁରେ କାର୍ଯ୍ୟ ଚାଲିଥିବାବେଳେ କ୍ରୀଡ଼ା ସଂଘଗୁଡ଼ିକର କାର୍ଯ୍ୟାଳୟ ଭଙ୍ଗା ଓ ସାମଗ୍ରୀ ନିଖୋଜ ଅଭିଯୋଗ ଏବେ ଘଟଣାକୁ ନୂଆ ମୋଡ଼ ଦେଇଛି। ଏହାର ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ କ୍ରୀଡ଼ା ସଂଘଗୁଡ଼ିକୁ ପୁନଃ ଥଇଥାନ କରିବାକୁ କ୍ରୀଡ଼ାପ୍ରେମୀମାନେ ଦାବି କରିଛନ୍ତି।
