ବର୍ଷା ଆସିଲେ ତେଲେନଡିହିବାସୀଙ୍କ ଦୁର୍ଦ୍ଦଶା: ନଦୀରେ ପାଣି, ବନ୍ଦ ହୋଇଯାଏ ଯାତାୟାତ
ସୁନ୍ଦରଗଡ଼: ପଚିଶ ଫୁଟ୍ରୁ ଅଧିକ ଉଚ୍ଚ ନଦୀରେ ପାଣି ଭରିଗଲେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଏ ତେଲେନଡିହି ଗାଁ। ଅଭିଭାବକମାନେ ସ୍କୁଲ ପିଲାଙ୍କୁ କାନ୍ଧରେ ବସାଇ ନଦୀ ପାର କରାନ୍ତି। ଗୁରୁତର ରୋଗୀ ଓ ଗର୍ଭବତୀଙ୍କ ପାଇଁ ମଧ୍ୟ ଏହି ନଦୀ ପାର ହେବା ଏକ ବଡ଼ ସମସ୍ୟା ପାଲଟିଛି। ବର୍ଷା ଦିନର ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଏହି ଗାଁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଗୋପାଳପୁର ପଞ୍ଚାୟତର ଏମ୍ସିଏଲ୍ ଅଧିକୃତ ଅଞ୍ଚଳରେ ରହିଛି।
ଏମ୍ସିଏଲ୍ ଅଧିକୃତ ଲିଜ୍ ଅଞ୍ଚଳର ମୋହର ଲାଗିବା ହିଁ ଗାଁ ପାଇଁ ବିକାଶରେ ବାଧା ସାଜିଛି ବୋଲି ଅଭିଯୋଗ ହେଉଛି। ଏହାକୁ ଆଳ କରି ଏଠାରେ ବିକାଶର ନାଁ ଧରୁନି ପ୍ରଶାସନ। ଚତୁର୍ଦ୍ଧାରା ନଦୀରେ ସେତୁ ତିଆରି କରିବାକୁ ବର୍ଷ ବର୍ଷ ଧରି ଦାବି ହେଉଥିଲେ ମଧ୍ୟ ଦିନ ଗଡ଼ି ଚାଲିଛି।
ଗୋପାଳପୁର ପଞ୍ଚାୟତ ନକଟିଦେଉଳ ଓ ତେଲେନଡିହି ଗାଁ ମଝିରେ ଚତୁର୍ଦ୍ଧାରା ନଦୀ ରହିଛି। ସେତୁ ନଥିବାରୁ ନଦୀରେ ପଶି ଲୋକେ ଯାତାୟାତ କରୁଛନ୍ତି। ଖରା ଓ ଶୀତଦିନେ ନଦୀ ଶୁଖିଲା କିମ୍ବା ଅଳ୍ପ ପାଣି ଥିବାରୁ ଯାତାୟାତରେ ବିଶେଷ ସମସ୍ୟା ହୁଏନାହିଁ। କିନ୍ତୁ ବର୍ଷା ଋତୁ ଆସିଲେ ଗାଁର ଦୁର୍ଦ୍ଦଶା ଚରମସୀମାରେ ପହଞ୍ଚିଯାଏ।
ବର୍ଷା ସମୟରେ ନଦୀରେ ପାଣି ଭରିଗଲେ ପିଲାମାନେ ପ୍ରାୟ କାନ୍ଧରେ ବସି ସ୍କୁଲ ଯିବାକୁ ବାଧ୍ୟ ହୁଅନ୍ତି। ଅନ୍ୟପଟେ, ଛାତିଏ ପାଣିରେ ପଶି ଲୋକେ ଗୋପାଳପୁର ପଞ୍ଚାୟତକୁ ଯାତାୟାତ କରନ୍ତି। ନଦୀ ଉପରେ ସେତୁ ପାଇଁ ବିଡିଓଙ୍କଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଛନ୍ତି ଗ୍ରାମବାସୀ। କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଅଞ୍ଚଳର ଯୁବନେତା ରାଜେନ୍ଦ୍ର ନାଏକଙ୍କ ଅଭିଯୋଗ ଅନୁସାରେ, ଖଣି ଲିଜ୍ ଅଞ୍ଚଳ ଦର୍ଶାଇ ପ୍ରଶାସନ କୌଣସି ବିକାଶମୂଳକ କାମ କରିବାକୁ ଚାହୁଁନାହିଁ। ହେମଗିର ବିଡିଓ ମଧ୍ୟ ଖଣି ଲିଜ୍ ଅଞ୍ଚଳ ଥିବା କଥା କହୁଛନ୍ତି।
ଅଗଷ୍ଟ ୨୧ ତାରିଖରେ ଗୋପାଳପୁର ସରପଞ୍ଚ, ପୂର୍ବତନ ନାଏକ ଓ ଯୁବନେତା ରାଜେନ୍ଦ୍ର ନାଏକ ଜିଲ୍ଲାପାଳଙ୍କୁ ଭେଟି ତେଲେନଡିହିର ଦୁର୍ଦ୍ଦଶା ସମ୍ପର୍କରେ ଜଣାଇଥିଲେ। ସ୍ଥାୟୀ ସେତୁ ନହେଲେ ଅସ୍ଥାୟୀ ଲୁହା ପୋଲ ତିଆରି କରିବାକୁ ସେମାନେ ଅନୁରୋଧ କରିଥିଲେ। ଲୁହା ପୋଲରେ ଅଧିକ ଖର୍ଚ୍ଚ ହେବ, ପକ୍କା ସେତୁ ନିର୍ମାଣ ପାଇଁ ଚିନ୍ତା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।
ଯେଉଁ ଅଞ୍ଚଳରୁ ସରକାରଙ୍କ ତହବିଲକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଯାଉଛି, ଯେଉଁଠି ବିକାଶ ପାଇଁ ହଜାର କୋଟି ଟଙ୍କାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରହିଛି, ସେଠାରେ ଖଣି ଅଧିକୃତ ଅଞ୍ଚଳ ଆଳରେ ଏକ ସାଧାରଣ ପୋଲ ନିର୍ମାଣ ପାଇଁ ପ୍ରଶାସନ ପଛଘୁଞ୍ଚା ଦେବା ଦୁର୍ଭାଗ୍ୟଜନକ ବୋଲି ରାଜେନ୍ଦ୍ର କ୍ଷୋଭ ପ୍ରକାଶ କରିଛନ୍ତି।
ତେଲେନଡିହିବାସୀଙ୍କ ଦୁର୍ଦ୍ଦଶା କେବେ ଶେଷ ହେବ, ନଦୀ ଉପରେ ସ୍ଥାୟୀ ସେତୁ କେବେ ନିର୍ମାଣ ହେବ—ଏହାକୁ ନେଇ ଏବେ ଗ୍ରାମବାସୀଙ୍କ ଅପେକ୍ଷା ଜାରି ରହିଛି।
