ଯାତ୍ରୀଙ୍କ ସେବାରେ ଲାଗିପାରୁନି ନୂତନ ବସଷ୍ଟାଣ୍ଡ; କେବେ କାର୍ଯ୍ୟକାରୀ ହେବ କେନ୍ଦ୍ରାପଡ଼ାର ନୂତନ ବସଷ୍ଟାଣ୍ଡ ?
କେନ୍ଦ୍ରାପଡ଼ା, (ପିପିଏସ): ଦୀର୍ଘ ଦୁଇ ବର୍ଷ ହେବ କେନ୍ଦ୍ରାପଡ଼ାର ନୂତନ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ତାହା ଲୋକ ମାନଙ୍କ ସେବାରେ ଲାଗିପାରୁନାହିଁ l୨୦୨୨/୨୦୨୩ ଆର୍ଥିକ ବର୍ଷରେ କେନ୍ଦ୍ରାପଡ଼ା ଜ଼ିଲ୍ଲା ରାସ୍ତା ଓ ଗୃହ ନିର୍ମାଣ ବିଭାଜନ-୧ ତରଫରୁ ପାଖା ପାଖି ଚାରିକୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟର ଟେଣ୍ଡର ଡକାଯାଇଥିଲା l
କାର୍ଯ୍ୟ କରିଥିବା ଠିକାଦାର ମଧ୍ୟ ସଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ l କିନ୍ତୁ ପ୍ରଶାସନିକ ଅବହେଳା ପାଇଁ ଆଜି ସାଧାରଣ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରତ୍ୟେକ ଦିନ ପଚାଶରୁ ଉର୍ଦ୍ଧ୍ୱ ବସ ଏହି ବସଷ୍ଟାଣ୍ଡ ଦେଇ ଯାତାୟାତ କରିଥାନ୍ତି l ମହିଳା ଯାତ୍ରୀ ମାନଙ୍କ ପାଇଁ ୟୁରିନାଲର ବ୍ୟବସ୍ଥା ନ ଥିବାରୁ ଅନେକ ମହିଳା ମାନେ ଅସୁବିଧା ଭୋଗୁଛନ୍ତି lକେନ୍ଦ୍ରାପଡ଼ା ପୌର ପାଳିକାର ୧୯ ନମ୍ବର ୱାର୍ଡରେ ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କରାଯାଇଛି l ଅନେକ ଥର କାଉନସିଲ ବୈଠକରେ ଏହି ବସଷ୍ଟାଣ୍ଡକୁ ନେଇ ଆଲୋଚନା କରାଯାଇଥିଲେ ମଧ୍ୟ ଫଳ ଶୂନ l କେନ୍ଦ୍ରାପଡ଼ା ପୌରପାଳିକା ଓ ରାସ୍ତା ଗୃହ ବିଭାଜନ- ୧ ମଧ୍ୟରେ ସମନ୍ୱୟ ରହୁ ନ ଥିବାରୁ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l ଯଥା ଶୀଘ୍ର ଏହି ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଦାବି କରିଛନ୍ତି ସାଧାରଣ ଜନତା ।
ଏ ସମ୍ପର୍କରେ ପୂର୍ବତନ କାଉନସିଲର ଶରତ କୁମାର ବେଉରା କହିଛନ୍ତି,ଦୀର୍ଘ ବର୍ଷ ଧରି କେନ୍ଦ୍ରାପଡ଼ା ବସ ଷ୍ଟାଣ୍ଡ କାର୍ଯ୍ୟ ଅଧା ପାନ୍ତରିଆ ଅବସ୍ଥାରେ ରହିଛି।ପୂର୍ବ ସରକାର ବା ବିଜେଡି ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସବୁ ହେଡ କ୍ୱାର୍ଟର ଓ ତହସିଲରେ ଗୋଟେ ଲେଖାଏଁ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଗଲା।ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ବସଷ୍ଟାଣ୍ଡ ଦୀର୍ଘ ଦୁଇ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ତାହା ଯାତ୍ରୀଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ।ସାଧାରଣ ଯାତ୍ରୀ ମାନଙ୍କ ପାଇଁ ବିଶ୍ରାମାଗାର ଓ ପିଇବା ପାଇଁ ପାଣି ନଥିବାରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା କଥା କହିଛନ୍ତି।ସରକାରୀ ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି।
ପ୍ରଶାସନିକ ଅବହେଳାରୁ ସରକାରୀ ଯୋଜନା ଫଳପ୍ରଦ ହୋଇପାରୁ ନାହିଁ ବୋଲି ସେ ଅତ୍ୟନ୍ତ ଖୋଭ ପ୍ରକାଶ କରିଛନ୍ତି।ବସଷ୍ଟାଣ୍ଡ ତୁରନ୍ତ କାର୍ଯ୍ୟକ୍ଷମ ହେବା ନେଇ ସେ ପ୍ରଶାସନ ନିକଟରେ ଦାବି ରଖିଛନ୍ତି।
ଅନ୍ୟ ପଟେ କେନ୍ଦ୍ରାପଡ଼ା ପୌର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା କହିଛନ୍ତି , ଗୋଟେ ମାସ ଭିତରେ ଏହି ସମସ୍ୟା ସମାଧାନ ହୋଇଯିବ।ଖାଲି ଦେଖିବାକୁ ବାକିରହିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ସମସ୍ୟାର ସମାଧାନ କରୁଛନ୍ତି ନା ରାଜନୈତିକ ପଶାପାଲିରେ ଫୁଣି ଅସୁବିଧା ଭୋଗିବେ କେନ୍ଦ୍ରାପଡ଼ା ବାସୀ l
