ଧାନ କ୍ଷେତରେ ରୋଗପୋକର ଦାଉ, ଉତ୍ପାଦନ ନେଇ ଚାଷୀଙ୍କ ଚିନ୍ତା
ଝାରସୁଗୁଡ଼ା, (ହି.ସ.) – ଚଳିତ ଖରିଫ ଋତୁରେ ଝାରସୁଗୁଡ଼ା ଜିଲ୍ଲାର ଧାନ ଚାଷ ଉପରେ ରୋଗପୋକର ପ୍ରାଦୁର୍ଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଲଗାତାର ବର୍ଷା, ମେଘୁଆ ପାଗ ଏବଂ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣର ଅଭାବ ଯୋଗୁଁ ଅନେକ ଅଂଚଳରେ ଧାନ ଗଛ ହଳଦିଆ ପଡ଼ିବା ସହ ଚକଡ଼ା ଓ ଗଣ୍ଠି ପୋକ ଭଳି କୀଟର ପ୍ରାଦୁର୍ଭାବ ଦେଖାଦେଇଛି। ଏହା ଧାନ ଫସଲର ବୃଦ୍ଧି ଓ ଆଗାମୀ ଉତ୍ପାଦନ ଉପରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି। କୋଲାବିରା ବ୍ଲକର କେଲଡ଼ାମାଲ, ସମାସିଂହା, ରଘୁନାଥପାଲି, ଝିରଲାପାଲି ଓ ପୋଖରାସାଲେ ପଂଚାୟତ ସମେତ ଝାରସୁଗୁଡ଼ା, ଲଇକେରା, କିର୍ମିରା ଓ ଲଖନପୁର ଅଂଚଳରେ ମଧ୍ୟ ଏହି ସମସ୍ୟା ଦେଖାଦେଇଥିବା ଚାଷୀମାନେ କହିଛନ୍ତି। ରୋଗପୋକ ନିୟନ୍ତ୍ରଣ ପାଇଁ ଚାଷୀମାନେ ବଜାରରୁ ବିଭିନ୍ନ ପ୍ରକାର କୀଟନାଶକ କିଣି ବ୍ୟବହାର କରୁଥିଲେ ମଧ୍ୟ ଆଶାନୁରୂପ ଫଳ ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ ଏକପଟେ ଫସଲ ନଷ୍ଟ ହେବାର ଭୟ ରହିଥିବା ବେଳେ ଅନ୍ୟପଟେ ଚାଷୀଙ୍କ ଚାଷ ଖର୍ଚ୍ଚ ବଢ଼ିଚାଲିଛି।
ଜିଲ୍ଲା ଚାଷୀ ସଂଗଠନର ହେମନ୍ତ ସାଗର କୁମୁରାଙ୍କ କହିବାନୁଯାୟୀ, ତାଙ୍କ ୮ ଏକର ଜମିରେ ଧାନ ଗଛର ପତ୍ର ହଳଦିଆ ପଡ଼ିବାରେ ଲାଗିଛି। ସମସ୍ୟା ସମ୍ପର୍କରେ ବାରମ୍ବାର ଜଣାଇଥିଲେ ମଧ୍ୟ କୃଷି ବିଭାଗର ଅଧିକାରୀ କିମ୍ବା ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପରାମର୍ଶ ଦେଇନଥିବା ସେ ଅଭିଯୋଗ କରିଛନ୍ତି।
ବରିଷ୍ଠ କୃଷକ ସମରେନ୍ଦ୍ର ରାଏଙ୍କ ମତରେ, ଧାନ ଗଛ ହଳଦିଆ ପଡ଼ିବାର ଅନ୍ୟତମ କାରଣ ଜିଙ୍କ୍ ଅଭାବ ମଧ୍ୟ ହୋଇପାରେ। ତେଣୁ କେବଳ କୀଟନାଶକ ପ୍ରୟୋଗ ନ କରି ଫସଲର ପ୍ରକୃତ ସମସ୍ୟା ଚିହ୍ନଟ କରି କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପ୍ରତିକାର ବ୍ୟବସ୍ଥା କରିବା ଜରୁରୀ ବୋଲି ସେ କହିଛନ୍ତି।
ଚାଷୀଙ୍କ ପାଇଁ ଧାନ ଫସଲ କେବଳ ଏକ ଚାଷ ନୁହେଁ, ବର୍ଷକର ଜୀବିକା ଓ ଆୟର ମୁଖ୍ୟ ଆଧାର। ଏଭଳି ସମୟରେ ରୋଗପୋକ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ହେଲେ ଉତ୍ପାଦନ କମିବା ସହ ଚାଷୀଙ୍କ ଆୟ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପଡ଼ିବ। ଅଧିକ ଔଷଧ କିଣିବା ଓ ପ୍ରୟୋଗ କରିବା ଯୋଗୁଁ ଚାଷ ଖର୍ଚ୍ଚ ବଢ଼ିବା ମଧ୍ୟ ଚାଷୀଙ୍କ ଉପରେ ଅତିରିକ୍ତ ଆର୍ôଥକ ବୋଝ ସୃଷ୍ଟି କରୁଛି।
ଏପଟେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆଉ ଦିନକ ପରେ ପାଳିତ ହେବାକୁ ଥିବା ବେଳେ ଧାନ ଫସଲର ଏଭଳି ସ୍ଥିତି ଚାଷୀଙ୍କ ଉତ୍ସାହକୁ କିଛିଟା ଫିକା କରିଦେଇଛି। କୋଲାବିରା ବ୍ଲକ ଗାୟତ୍ରୀ କୃଷକ ସଂଘ ସଭାପତି ହେମନ୍ତ ସାହୁ ଚାଷୀଙ୍କ ସମସ୍ୟା ନେଇ ଉଦ୍ୱେଗ ପ୍ରକାଶ କରିବା ସହ ଧୈର୍ଯ୍ୟର ସହ ଏହି ସଙ୍କଟର ମୁକାବିଲା କରିବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସମାସିଂହା ପଂଚାୟତ କୃଷକ ସଂଘ ସଭାପତି ଚେତାନନ୍ଦ ପଟେଲ କହିଛନ୍ତି ଯେ ଫସଲକୁ ନେଇ ଚିନ୍ତା ଥିଲେ ମଧ୍ୟ ଚାଷୀମାନେ ପରମ୍ପରା ଅନୁଯାୟୀ ନୂଆଁଖାଇ ପାଳନ କରିବେ।
