ରାଜଭାଷା ସମ୍ମିଳନୀ; ନିଜ ମାତୃଭାଷାକୁ ଭୁଲ ନାହିଁ : ଅମିତ ଶାହ
1 min read

ରାଜଭାଷା ସମ୍ମିଳନୀ; ନିଜ ମାତୃଭାଷାକୁ ଭୁଲ ନାହିଁ : ଅମିତ ଶାହ


ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ସୋମବାର ସାଂସ୍କୃତିକ ଜାତୀୟତାବାଦ ଓ ଭାରତୀୟ ଭାଷାର ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇଛନ୍ତି। ଶାହ କହିଛନ୍ତି, ସାଂସ୍କୃତିକ ଜାତୀୟତାବାଦର ଉଦ୍ଦେଶ୍ୟ ଭାରତର ସଂସ୍କୃତି ଓ ଇତିହାସ ନେଇ ସଚେତନତା ସୃଷ୍ଟି କରିବା। ଦେଶର ବିବିଧ ଭାଷାର ସ୍ବର ଭିନ୍ନ ହୋଇପାରେ, କିନ୍ତୁ ଜାତୀୟ ଭାବନା ଏକ ରହିବା ଉଚିତ। ଜଣେ ଶିଶୁ ନିଜ ଦେଶକୁ ତା’ର ମାତୃଭାଷା ଦ୍ବାରା ଚିହ୍ନିପାରେ ବୋଲି ଶାହ କହିବା ସହିତ ଭାରତୀୟ ଭାଷାର ପ୍ରୋତ୍ସାହନ ପାଇଁ ସମସ୍ତ ରାଜନୈତିକ ମତଭେଦକୁ ଅଲଗା ରଖିବା ଉଚିତ ବୋଲି ଆହ୍ବାନ ଦେଇଥିଲେ।

ଷଷ୍ଠ ସର୍ବଭାରତୀୟ ରାଜଭାଷା ସମ୍ମିଳନୀକୁ ସମ୍ବୋଧିତ କରି ଶାହ କହିଥିଲେ ଯେ, ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ ବହୁଭାଷୀ ସଂସ୍କୃତି ରହିଛି, ଏଠାରେ କଥିତ ଓ ବିକଶିତ ଭାଷା ମଧ୍ୟରେ ମରାଠୀ, କୋଙ୍କଣୀ, ଗୁଜରାଟୀ, ସିନ୍ଧି, ହିନ୍ଦୀ, କନ୍ନଡ ଓ ୱାର୍ଲି ଅନ୍ତର୍ଭୁକ୍ତ। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଶାହ କହିଛନ୍ତି ଯେ, ଦେଶରେ କଥିତ ବିଭିନ୍ନ ଭାଷା ଦୁର୍ବଳତାର ସଙ୍କେତ ନୁହେଁ, ବରଂ ଭାରତର ସବୁଠାରୁ ବଡ଼ ଶକ୍ତି । ପ୍ରତ୍ୟେକ ଭାଷା ଏକ ଅନନ୍ୟ ଇତିହାସ, ଲୋକ ପରମ୍ପରା ଏବଂ ବିଶ୍ୱ ପ୍ରତି ଏକ ଅନନ୍ୟ ଦୃଷ୍ଟିକୋଣ ବହନ କରେ । ଏସବୁ ମିଶି ନୂତନ ପିଢ଼ିର ମୂଲ୍ୟବୋଧକୁ ଗଢ଼ି ତୋଳେ ।

ଭାରତର ଭାଷାଗତ ବିବିଧତା ଦେଶର “ବିବିଧତା ମଧ୍ୟରେ ଏକତା” ଆତ୍ମାକୁ ଆହୁରି ସୁଦୃଢ଼ ​​କରେ । ଅନ୍ୟ ଭାରତୀୟ ଭାଷା ସହ ପ୍ରତିଦ୍ଵନ୍ଦିତା କରିବା ହିନ୍ଦୀର ଉଦ୍ଦେଶ୍ୟ ନୁହେଁ । ବିଭିନ୍ନ ଭାଷା ଶିଖ, ହେଲେ ନିଜ ମାତୃଭାଷାକୁ ଭୁଲ ନାହିଁ । ନିଜ ଭାଷାରେ କଥା ହେବାବେଳେ ହୀନ ମନେ କର ନାହିଁ ।  ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧୯୪୯ ସେପ୍ଟେମ୍ଵର ୧୪ରେ ସମ୍ବିଧାନ ସଭାରେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା । ମୋର ମାତୃଭାଷା ଗୁଜରାଟୀ , ହେଲେ ମୁଁ ଅଲଗା ରାଜ୍ୟକୁ ଗଲେ ଲୋକମାନଙ୍କ ସହ ହିନ୍ଦୀରେ କଥା ହୁଏ ।

ସ୍ୱାଧୀନତା ପରେ, ଭାରତୀୟ ଭାଷାଗୁଡ଼ିକ ରାଷ୍ଟ୍ର ନିର୍ମାଣ, ପ୍ରଶାସନ ଏବଂ ବିକାଶକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଭାରତୀୟ ଭାଷାଗୁଡ଼ିକୁ ସମ୍ମାନ ଦେବା କେବଳ ଭାଷାର ବିଷୟ ନୁହେଁ, ବରଂ ଏହା ଦେଶର ସଂସ୍କୃତି, ଇତିହାସ ଏବଂ ସ୍ୱାଭିମାନ ସହିତ
ଜଡିତ ଏକ ପ୍ରସଙ୍ଗ ।

Leave a Reply

Your email address will not be published. Required fields are marked *