ଦୁର୍ଗାପୂଜା ପୂର୍ବରୁ ୧୭ ବିଦ୍ରୋହୀ ଟିଏମ୍‌ସି ସାଂସଦବିଜେପିରେ ଯୋଗଦେବେ
1 min read

ଦୁର୍ଗାପୂଜା ପୂର୍ବରୁ ୧୭ ବିଦ୍ରୋହୀ ଟିଏମ୍‌ସି ସାଂସଦବିଜେପିରେ ଯୋଗଦେବେ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀଙ୍କ ଟିଏମସି ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୨୦ ଜଣ ସାଂଦଙ୍କୁ ନେଇ ଆସିଛି ବଡ଼ ଖବର। ଏହି ବିଦ୍ରୋହୀ ସାଂସଦମାନେ ଲୋକସଭାର ମୌସୁମୀ ଅଧିବେଶନ ପୂର୍ବରୁ କମ ପରିଚିତ ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ ଇଣ୍ଡିଆ ବା
ଏନସିପିଆଇରେ ଯୋଗ ଦେଇଥିଲେ।

ଏବେ ସେମାନଙ୍କ ମଧ୍ୟରୁ ୧୭ ଜଣ ଆଗାମୀ ଦୁର୍ଗାପୂଜା ପୂର୍ବରୁ କିମ୍ବା ପରେ ଏନସିପିଆଇ ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ। ବିଦ୍ରୋହୀ ଗୋଷ୍ଠୀରେ ଥିବା କୋଚ ବେହାର ସାଂସଦ ଜଗଦୀଶ ଚନ୍ଦ୍ର ବମାଆ ବାସୁନିଆ ଏପରି ମତ ଦେବା ପରେ ହଇଚଇ ସୃଷ୍ଟି ହୋଇଛି। ତେବେ ଜଗଦୀଙ୍କ ଏପରି ବୟାନକୁ ଆଉ ଜଣେ ବିଦ୍ରୋହୀ ସାଂସଦ ଖଣ୍ଡନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ସାମୂହିକ ନିଷ୍ପତ୍ତି ନିଆଯାଇ ନଥିବା ସେ ସ୍ପଷ୍ଟ କରିଛନ୍ତି। 

ବିଜେପି ମଧ୍ୟ ନିଜକୁ ଏପରି ଦାବି ଠାରୁ ଦୂରେଇ ରଖିଛି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଦଳ କେବେ ହେଲେ ବି କେବଳ ସାମିଲ ହେବାକୁ ଥିବା ଲୋକଙ୍କୁ ଦଳରେ ମିଶାଇବ ନାହିଁ। ଟିଏମସିର ୨୦ ବିଦ୍ରୋହୀ ସାଂସଦଙ୍କ ସ୍ଥିତାବାସ୍ଥାକୁ ନେଇ ବିବାଦ ଦେଖାଯାଇଛି। କାରଣ ଏହି ସାଂସଦମାନେ କମ ପରିଚିତ ଏନସିପିଆଇରେ ମିଶି ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରୁଥିବା ବେଳେ ସେମାନଙ୍କ ମୁଣ୍ଡରେ ଅଯୋଗ୍ୟ ଘୋଷଣା ହେବାର ଖଣ୍ଡା ଝୁଲୁଛି। ଏପରି ସ୍ଥିତିରେ ସେମାନଙ୍କ ମଧ୍ୟରୁ ୧୭ ଜଣ ବିଜେପି ମୁହଁ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି। ପଶ୍ଚିମବଙ୍ଗରେ ମମତାଙ୍କ ଟିଏମସି ହାରିବା ପରେ ସାଂସଦ ଜଗଦୀଶ ମଧ୍ୟ ବିଦ୍ରୋହ ଘୋଷଣା କରି ଏନସିପିଆଇରେ ମିଶିଛନ୍ତି।

ସେ କହିଛନ୍ତି, “ଆମେ ୧୭ ଜଣ ସାଂସଦ ଏକାଠି ବିଜେପିରେ ମିଶିବାକୁ ଯାଉଛୁ। ୨୦ ଜଣ ସାଂସଦଙ୍କ ମଧ୍ୟରୁ ୧୭ ଜଣ ମିଶିବାର ଅର୍ଥ ଏହା ଦୁଇ ତୃତୀୟାଂଶରୁ ଅଧିକ। ତେଣୁ ଆମ କ୍ଷେତ୍ରରେ ଦଳବଦଳ ନିରୋଧ ଆଇନ ଲାଗୁ ହେବନାହିଁ। ଦୁର୍ଗାପୂଜା ପୂର୍ବରୁ କିମ୍ବା ପରେ ଆମେ ଏପରି ପଦକ୍ଷେପ ନେବୁ।” ୨୦୨୪ ଲୋକସଭାରେ ଟିଏମସି ୨୭ଟି ଲୋକସଭା ଆସନ ଜିତିଥିଲା। ଏହା ମଧ୍ୟରୁ ୨୦ ଜଣ ବିଦ୍ରୋହ ଘୋଷଣା କରି ବିଜେପିକୁ ସମର୍ଥନ କରୁଛନ୍ତି। ଜଗଦୀଶ ପ୍ରଥମେ ସିଧାସଳଖ ବିଜେପିରେ ମିଶିବାକୁ ଚାହୁଁଥିଲେ। କିନ୍ତୁ ୩ ଜଣ ସଂଖ୍ୟାଲଘୁ ସାଂସଦ ବିଜେପିରେ ମିଶିବାକୁ ରାଜି ନହେବାରୁ ଜଗଦୀଶ ଏନସିପିଆଇରେ ସାମିଲ ହୋଇଛନ୍ତି। ଏପଟେ ମମତାଙ୍କ ଟିଏମସି ୨୦ ଜଣ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଆବେଦନ କରିଛି। ଏଥିସହ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ପୃଥକ ଭାବେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରି ଦଳବଦଳ ନିରୋଧ ଆଇନ ଅନୁସାରେ ତୁରନ୍ତ ଏହାର ସମାଧାନ କରିବାକୁ ମଧ୍ୟ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *