୧୫୨୦ ଶିକ୍ଷକ ପଦ ଖାଲି, ୫୭% ଉଚ୍ଚପ୍ରାଥମିକ ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି
1 min read

୧୫୨୦ ଶିକ୍ଷକ ପଦ ଖାଲି, ୫୭% ଉଚ୍ଚପ୍ରାଥମିକ ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି

କଳାହାଣ୍ଡି (ପିପିଏସ୍‌): ସର୍ବଶିକ୍ଷା ଓ ଗୁଣାତ୍ମକ ଶିକ୍ଷା ନେଇ ସରକାରଙ୍କ ଦାବି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ୨୦୨୬ ଏପ୍ରିଲରେ ପ୍ରକାଶିତ ତଥ୍ୟ ଅନୁସାରେ, ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ୧୫୨୦ଟି ଶିକ୍ଷକ ପଦ ଖାଲି ପଡ଼ିଛି। ଏହା ସହ ୮୨୬ଟି ଅନୁମୋଦିତ ପ୍ରାଥମିକ ସ୍ତରର ଲେଭଲ୍‌-୪ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୨୪୨ଟି ଖାଲି ରହିଛି। ଉଚ୍ଚପ୍ରାଥମିକ ସ୍ତରର ୬୬୫ଟି ଅନୁମୋଦିତ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୨୮୪ଟି ପଦ ଖାଲି ରହିଛି।

ଅର୍ଥାତ୍‌ ଜିଲ୍ଲାର ପ୍ରାୟ ୫୭ ପ୍ରତିଶତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସ୍ଥାୟୀ ପ୍ରଧାନଶିକ୍ଷକଙ୍କ ବିନା ଚାଲିଥିବା ତଥ୍ୟରୁ ଜଣାପଡ଼ିଛି। ଶିକ୍ଷକ ଅଭାବ କେବଳ ପ୍ରଧାନଶିକ୍ଷକ ପଦରେ ସୀମିତ ନୁହେଁ। ଜିଲ୍ଲାର ୭୧୩ଟି ଅନୁମୋଦିତ ଟ୍ରେଣ୍ଡ୍‌ ସାଇନ୍ସ ଗ୍ରାଜୁଏଟ୍‌ ଶିକ୍ଷକ ପଦ ମଧ୍ୟରୁ ୫୮୨ଟି ପଦ ଖାଲି ରହିଛି। ମାତ୍ର ୧୩୧ ଜଣ ଶିକ୍ଷକ କାର୍ଯ୍ୟରତ ଥିବା ବେଳେ ଏହି ଅଭାବ ଶିକ୍ଷାଦାନର ଗୁଣାତ୍ମକତା ନେଇ ପ୍ରଶ୍ନ ଉଠାଇଛି।

ଦୁର୍ଗମ ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ଭଳି ଅଞ୍ଚଳରେ ଶିକ୍ଷକ ଅଭାବର ପ୍ରଭାବ ଅଧିକ ରହିଛି। ଏପରି ସ୍ଥିତିରେ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଅନ୍ୟପଟେ ଜିଲ୍ଲାରେ ୭ରୁ ୧୮ ବର୍ଷ ବୟସର ୧୩,୫୨୮ ଜଣ ବିଦ୍ୟାଳୟ ବାହାର ଶିଶୁ ଚିହ୍ନଟ ହୋଇଥିବା ତଥ୍ୟ ମଧ୍ୟ ଚିନ୍ତା ବଢ଼ାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୩୪.୧୧ ପ୍ରତିଶତଙ୍କୁ ପୁଣି ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯାଇପାରିଛି। ଏହା ସରକାରଙ୍କ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟ ସମ୍ମୁଖରେ ବଡ଼ ପ୍ରଶ୍ନ ଠିଆ କରିଛି।

ବିଦ୍ୟାଳୟରେ ଶିକ୍ଷକ ଅଭାବ ପୂରଣ, ସ୍କୁଲ୍‌ ଭିତ୍ତିଭୂମିର ବିକାଶ ଓ ବିଦ୍ୟାଳୟ ବାହାର ଶିଶୁଙ୍କୁ ପୁଣି ଶିକ୍ଷା ବ୍ୟବସ୍ଥାରେ ଆଣିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଖାଲି ପଦ ପୂରଣ ନକରି ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା କେତେଦୂର ସମ୍ଭବ, ତାହା ଏବେ ବଡ଼ ପ୍ରଶ୍ନ।

Leave a Reply

Your email address will not be published. Required fields are marked *