ଲ୍ୟାଣ୍ଡ ଅଫ୍ ଫାୟାରର ଐତିହାସିକ ମନ୍ଦିରରେ ଜୟଶଙ୍କର
1 min read

ଲ୍ୟାଣ୍ଡ ଅଫ୍ ଫାୟାରର ଐତିହାସିକ ମନ୍ଦିରରେ ଜୟଶଙ୍କର

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଅଜରବୈଜାନରେ ପହଞ୍ଚିଥିବା ବେଳେ ରାଜଧାନୀ ବାକୁରେ ଥିବା ଐତିହାସିକ ଅତେଶଗାହ ଅଗ୍ନି ମନ୍ଦିର ପରିଦର୍ଶନ କରିଥିଲେ। ପ୍ରାୟ ୮ ବର୍ଷ ପରେ ଜଣେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଗସ୍ତ ବୋଲି କୁହାଯାଉଛି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ରାଜନୈତିକ, ଆର୍ଥିକ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି।  ଅଜରବୈଜାନକୁ ‘ଲ୍ୟାଣ୍ଡ ଅଫ୍ ଫାୟାର’ ବା ‘ଅଗ୍ନିର ଦେଶ’ ବୋଲି କୁହାଯାଏ। ଏଠାରେ ପ୍ରାକୃତିକ ଗ୍ୟାସ୍ ଯୋଗୁଁ ଭୂମିରୁ ଅଗ୍ନିଶିଖା ବାହାରିବାର ଘଟଣା ଶତାବ୍ଦୀ ଶତାବ୍ଦୀ ଧରି ଲୋକଙ୍କୁ ଆକର୍ଷିତ କରିଆସିଛି। ଅଗ୍ନିର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ମଧ୍ୟ ଏହି ଅଞ୍ଚଳରେ ବହୁ ପୁରୁଣା। ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅତେଶଗାହ ଅଗ୍ନି ମନ୍ଦିରର ଫଟୋ ସେୟାର କରିଥିଲେ। ଏହି ଐତିହାସିକ ସ୍ଥଳକୁ ଭାରତ ଓ ଅଜରବୈଜାନ ମଧ୍ୟରେ ରହିଥିବା ପୁରୁଣା ସାଂସ୍କୃତିକ ସମ୍ପର୍କର ପ୍ରତୀକ ଭାବେ ସେ ଉଲ୍ଲେଖ କରିଥିଲେ। ତାଙ୍କର ଏହି ଯାତ୍ରା କେବଳ କୂଟନୈତିକ ସମ୍ପର୍କକୁ ନୁହେଁ, ବରଂ ଦୁଇ ଦେଶ ମଧ୍ୟରେ ରହିଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ଆଲୋକିତ କରିଛି। ଏହି ମନ୍ଦିରର ଭାରତ ସହିତ ଏକ ବିଶେଷ ସମ୍ପର୍କ ରହିଛି ଏବଂ ଅଜରବୈଜାନ ହେଉଛି ୯୭% ମୁସଲିମ ଜନସଂଖ୍ୟା ବିଶିଷ୍ଟ ଏକ ଦେଶ। ତେଣୁ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ଏବଂ ମନ୍ଦିର ପରିଦର୍ଶନ ନିଶ୍ଚିତ ଭାବରେ ବେଶ୍ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *