ପର୍ଯ୍ୟଟକ ବଢ଼ୁଛନ୍ତି, ଭିତ୍ତିଭୂମି ବିକାଶରେ ପଛୁଆ ମୟୂରଭଞ୍ଜ
1 min read

ପର୍ଯ୍ୟଟକ ବଢ଼ୁଛନ୍ତି, ଭିତ୍ତିଭୂମି ବିକାଶରେ ପଛୁଆ ମୟୂରଭଞ୍ଜ

ବାରିପଦା: ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମୟୂରଭଞ୍ଜରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ ଅନେକ ଐତିହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳକୁ ଦେଖିବା ପାଇଁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ତେବେ ଅନେକ ପର୍ଯ୍ୟଟନସ୍ଥଳୀରେ ମୌଳିକ ଭିତ୍ତିଭୂମିର ଅଭାବ ପର୍ଯ୍ୟଟନ ବିକାଶରେ ବାଧା ସୃଷ୍ଟି କରୁଛି।

ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଶିମିଳିପାଳ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ୯୦ ଲକ୍ଷ ୩୭ ହଜାର ୫୧୯ ଜଣ ପର୍ଯ୍ୟଟକ ଜିଲ୍ଲାକୁ ଆସିଛନ୍ତି। ଏହା ବ୍ୟତୀତ ୫୬୫ ଜଣ ବିଦେଶୀ ପର୍ଯ୍ୟଟକ ମଧ୍ୟ ମୟୂରଭଞ୍ଜ ଆସିଥିବା ଜଣାପଡ଼ିଛି।

୨୦୧୮-୧୯ରେ ୧୮ ଲକ୍ଷ ୩ ହଜାର ୫୪୫, ୨୦୧୯-୨୦ରେ ୧୭ ଲକ୍ଷ ୮ ହଜାର ୪୫୨ ଏବଂ ୨୦୨୧-୨୨ରେ ୨୨ ଲକ୍ଷ ୭ ହଜାର ୫୨୨ ଜଣ ପର୍ଯ୍ୟଟକ ଜିଲ୍ଲାକୁ ଆସିଥିଲେ। ସେହିପରି ୨୦୨୨-୨୩ରେ ୧୮ ଲକ୍ଷ ୨୫ ହଜାର, ୨୦୨୪-୨୫ରେ ୨୨ ଲକ୍ଷ ୫୨ ହଜାର ଏବଂ ୨୦୨୫-୨୬ରେ ଏଯାବତ୍‌ ୧୫ ଲକ୍ଷ ୧୨ ହଜାର ୩୨୩ ଜଣ ପର୍ଯ୍ୟଟକ ମୟୂରଭଞ୍ଜ ବୁଲିବାକୁ ଆସିଛନ୍ତି।

ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଅନେକ ପର୍ଯ୍ୟଟନସ୍ଥଳୀରେ ମୌଳିକ ସୁବିଧା ନଥିବା ଅଭିଯୋଗ ହେଉଛି। ସରକାରୀ ରେକର୍ଡରେ ଶିମିଳିପାଳ, ଦେବକୁଣ୍ଡ, ଖିଚିଂ, କୁଚେଇ, ଭୀମକୁଣ୍ଡ, ସୀତାକୁଣ୍ଡ, ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ସମେତ ୧୯ଟି ପର୍ଯ୍ୟଟନସ୍ଥଳୀ ରହିଛି। କିନ୍ତୁ ଅନେକ ସ୍ଥାନରେ ଭଲ ରାସ୍ତା, ପାନୀୟ ଜଳ, ବିଶ୍ରାମାଗାର ଓ ଶୌଚାଳୟ ଭଳି ସୁବିଧା ଅପର୍ଯ୍ୟାପ୍ତ।

ରାତ୍ରିଯାପନ ବ୍ୟବସ୍ଥା ନଥିବାରୁ କେତେକ ସ୍ଥାନରୁ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ପୂର୍ବରୁ ଫେରିଆସିବାକୁ ପଡ଼ୁଛି। ଏହା ଜିଲ୍ଲାର ପର୍ଯ୍ୟଟନ ଅର୍ଥନୀତିର ବିକାଶକୁ ମଧ୍ୟ ପ୍ରଭାବିତ କରୁଛି।

କେତେକ ସ୍ଥାନରେ ଜଙ୍ଗଲ ବିଭାଗର ଅନୁମତି ନମିଳିବାରୁ ଭିତ୍ତିଭୂମି ବିକାଶ କାମ ଆଗେଇପାରୁନାହିଁ। ଖିଚିଂରେ ୭ କୋଟି ଟଙ୍କା ବ୍ୟୟରେ ବିକାଶମୂଳକ କାମ ହୋଇଥିଲେ ମଧ୍ୟ ଏହି ଅର୍ଥ ଠିକ୍‌ ଭାବେ ବିନିଯୋଗ ହୋଇନଥିବା ଅଭିଯୋଗ ରହିଛି। ଭୀମକୁଣ୍ଡରେ ୭ କୋଟି ଓ ଦେବକୁଣ୍ଡରେ ୧୩ କୋଟି ଟଙ୍କା ବ୍ୟୟରେ କାମ ହୋଇଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ଏହାର ଗୁଣାତ୍ମକତା ନେଇ ପ୍ରଶ୍ନ ଉଠିଛି।

ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାରୁ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ରାସ୍ତା, ପାନୀୟ ଜଳ, ଶୌଚାଳୟ, ବିଶ୍ରାମାଗାର ଓ ରାତ୍ରିଯାପନ ଭଳି ମୌଳିକ ସୁବିଧାର ବିକାଶ ଜରୁରୀ ହୋଇପଡ଼ିଛି। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଂଶୁ ମହାନ୍ତି କହିଛନ୍ତି। ପର୍ଯ୍ୟଟକ ବଢ଼ୁଥିବା ବେଳେ ଭିତ୍ତିଭୂମି ବିକାଶ କେବେ ଗତି ପାଇବ, ତାହା ଏବେ ଅପେକ୍ଷାର ବିଷୟ।

Leave a Reply

Your email address will not be published. Required fields are marked *