ପାହାଡ଼ ଉପରେ ୨୦ ଗାଁ, ବିକାଶରୁ ବଞ୍ଚିତ ହଜାର ହଜାର ଲୋକ
ମାଲକାନଗିରି: ଜିଲ୍ଲାର ବିକାଶ ପାଇଁ ପ୍ରଶାସନ ଯୋଜନା ପରେ ଯୋଜନା କରୁଥିବା ବେଳେ ଦୁର୍ଗମ ପାହାଡ଼ ଉପରେ ରହୁଥିବା ୨୦ଟି ଗାଁର ଚିତ୍ର ଏବେ ବି ଭିନ୍ନ। ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ସୁବିଧା ଅଭାବରେ ଏହି ଗାଁଗୁଡ଼ିକର ଲୋକେ ଦୁର୍ବିଷହ ଜୀବନ କାଟୁଛନ୍ତି। ପ୍ରଶାସନର ବିକାଶର ଚକ ଏଠାକାର ପାହାଡ଼ ଚଢ଼ିପାରୁନଥିବାରୁ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
କୋରୁକୋଣ୍ଡା ବ୍ଲକ୍ର ନାକାମାମୁଡ଼ି ପଞ୍ଚାୟତ ଦିନେ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିଲା। ବ୍ଲକ୍ ସଦରମହକୁମାଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଏହି ପଞ୍ଚାୟତ ଅଧୀନରେ ୫୨ଟି ଗାଁ ରହିଛି। ସେଥିରୁ ପ୍ରାୟ ୨୦ଟି ଗାଁ ପାହାଡ଼ ଉପରେ ଅବସ୍ଥିତ। ଏହି ଗାଁଗୁଡ଼ିକରେ ୨ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଆଦିବାସୀ ପରିବାର।
ଆଜି ପର୍ଯ୍ୟନ୍ତ ଏହି ଗାଁଗୁଡ଼ିକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ହୋଇପାରିନାହିଁ। ମନରେଗା ମାଧ୍ୟମରେ କେତେକ ଗାଁରେ ଘାଟ କଟିଂ କରି ଯାତାୟାତର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବର୍ଷା ହେଲେ କାଦୁଅ ଓ ଖସଡ଼ା ରାସ୍ତା ଯୋଗୁଁ ଯାତାୟାତ ପ୍ରାୟ ଅସମ୍ଭବ ହୋଇପଡ଼େ।
ନାରଙ୍ଗିଝୋଲା, ଜିସିଂବେଡ଼ା, ବାଟାଗୁଡ଼ା, ବଡ଼ଆଖିଆଗୁଡ଼ା, ଗଙ୍ଗାପଡ଼ା, ସୁତିପଡ଼ା ଓ ଟିକରପଡ଼ା ଭଳି ଅନେକ ଗାଁର ଲୋକେ ଏବେ ବି ପକ୍କା ରାସ୍ତା ଦେଖିନାହାନ୍ତି। ରାସ୍ତା ଅଭାବରେ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ପାହାଡ଼ ତଳକୁ ଆଣିବାକୁ ପଡ଼ୁଛି। ପରେ ସେମାନଙ୍କୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଇ ଚିକିତ୍ସାଳୟକୁ ପଠାଯାଉଛି।
ସବୁଠାରୁ ଅଧିକ ସମସ୍ୟା ଭୋଗୁଛନ୍ତି ଅଙ୍ଗୁରବେଡ଼ା ଗାଁର ଲୋକେ। ପଞ୍ଚାୟତ ସଦରମହକୁମାଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ଏହି ଗାଁର ଲୋକଙ୍କୁ ପିଡିଏସ୍ ଚାଉଳ ଓ ଭତ୍ତା ପାଇଁ ପଞ୍ଚାୟତକୁ ପହଞ୍ଚିବାରେ ପ୍ରାୟ ୩ ଦିନ ଲାଗୁଛି। ବ୍ଲକ୍କୁ ଯିବାକୁ ଲାଗୁଛି ପ୍ରାୟ ୫ ଦିନ। ଦୀର୍ଘ ୨୫ ବର୍ଷ ଧରି ନାକାମାମୁଡ଼ିକୁ ଦୁଇଟି ପଞ୍ଚାୟତରେ ବିଭକ୍ତ କରିବାକୁ ଦାବି ହୋଇଆସୁଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ହୋଇନାହିଁ।
ସ୍ଥାନୀୟ ଲୋକଙ୍କ ମତରେ, ମୁଦୁଲିଗୁଡ଼ାକୁ ଆଉ ଏକ ପଞ୍ଚାୟତ କରାଗଲେ ଅନେକ ଗାଁର ଲୋକେ ପ୍ରଶାସନିକ ସୁବିଧା ସହଜରେ ପାଇପାରିବେ। ଦୀର୍ଘଦିନର ଏହି ଦାବି ପ୍ରତି ସରକାର ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବୁଙ୍କୁ ପଚାରିବାରୁ ପଞ୍ଚାୟତର ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଥିବା କହିଛନ୍ତି। ତୁରନ୍ତ ‘ସେତୁ’ କିମ୍ବା ‘ବିଜୁ କେବିକେ’ ଯୋଜନା ମାଧ୍ୟମରେ ରାସ୍ତା ନଥିବା ଗାଁଗୁଡ଼ିକୁ ରାସ୍ତା ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
