ଭୁଶୁଡ଼ିବା ଅପେକ୍ଷାରେ ପୁରୁଣା ତହସିଲ କୋଠା: ସୁରକ୍ଷାକୁ ନେଇ ଆଶଙ୍କା ବ୍ରିଟିଶ ଅମଳର କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ
ନବରଙ୍ଗପୁର: ୧୯୩୨ ମସିହାରେ ସାରା ଦେଶରେ ବ୍ରିଟିଶ ସରକାରଙ୍କ ଶାସନ ଚାଲିଥିବା ସମୟରେ ନବରଙ୍ଗପୁରରେ ଏକ ବଡ଼ ଜେଲ୍ ସ୍ଥାପନ କରାଯାଇଥିଲା। ଏହି ଜେଲ୍ ଏତେ ବଡ଼ ଥିଲା ଯେ ଏହାର ଦୁଇ ପାର୍ଶ୍ୱରେ ସେତେବେଳର ସରକାର ଦୁଇଟି ତହସିଲ ଓ ଜିଲ୍ଲା ଟ୍ରେଜେରୀ ଖୋଲିଥିଲେ। ପରେ ୧୯୩୬ ମସିହାରେ ଏହାର ଗୋଟିଏ ଅଂଶ ଆରମ୍ଭ କରାଯାଇଥିଲା।
ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରୁଣା ତହସିଲ କାର୍ଯ୍ୟାଳୟ ମଧ୍ୟ ଏଠାରେ ହିଁ ଚାଲୁଥିଲା। ଆଜି ମଧ୍ୟ ସେହି କାର୍ଯ୍ୟାଳୟ ଭଙ୍ଗା ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ନୂଆ ସ୍ଥାନରେ ନୂଆ ତହସିଲ କାର୍ଯ୍ୟାଳୟ ପାଇଁ ଜମି ଖୋଜାଯାଉଥିବା ବେଳେ ପୁରୁଣା କୋଠାର ଅବସ୍ଥା ଏବେ ଚିନ୍ତାର କାରଣ ହୋଇଛି।
୧୯୩୬ ମସିହାରେ ବ୍ରିଟିଶ ଶାସନ ସମୟରେ ଏଠାରେ ତହସିଲ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମୟକ୍ରମେ କୋଠାଟି ଜରାଜୀର୍ଣ୍ଣ ହୋଇପଡ଼ିଥିଲେ ମଧ୍ୟ ୨୦୧୫ ମସିହାରେ ଏହାର କିଛି ଅଂଶର ପୁନରୁଦ୍ଧାର କରାଯାଇଥିଲା। ପଥର ଉପରେ ପ୍ଲେଟ୍ ଲଗାଯାଇଥିଲା ଏବଂ ଟିଣ ଛାତ ଉପରେ ଥିବା ଝିଣ୍ଡିଗୁଡ଼ିକୁ ହଟାଇ ସିମେଣ୍ଟର ବନ୍ଧ ନିର୍ମାଣ କରାଯାଇଥିଲା। କିଛି କୋଠରୀରେ ପୁରୁଣା ପ୍ଲାଷ୍ଟର ହଟାଇ ନୂଆ ପ୍ଲାଷ୍ଟର ମଧ୍ୟ କରାଯାଇଥିଲା।
ମାତ୍ର ଏବେ ପୁଣି କୋଠାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଅଧିକ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ପୁରୁଣା ଜେଲ୍ର ବଡ଼ ବଡ଼ କୋଠରୀରେ ଏବେ ତହସିଲ କାର୍ଯ୍ୟାଳୟ ଖୋଲାଯାଇଛି। ଛୋଟ ଛୋଟ ଜେଲ୍ କୋଠରୀଗୁଡ଼ିକୁ ଷ୍ଟୋର୍ରୁମ୍ କରାଯାଇଛି। କେଉଁଠି ସରକାରୀ ରେକର୍ଡ ତ ଆଉ କେଉଁଠି ପୁରୁଣା ଆସବାବପତ୍ର ରଖାଯାଇଛି। ଅନେକ କୋଠରୀର ପ୍ଲାଷ୍ଟର ଖସିବା ସହ କାନ୍ଥରେ ଫାଟ ଦେଖାଦେଇଛି।
ଏପରିକି ଅତିରିକ୍ତ ତହସିଲଦାରଙ୍କ କୋଠରୀ ପାଖରେ ଥିବା ରେକର୍ଡ ରୁମ୍ର ଅବସ୍ଥା ମଧ୍ୟ ସୁରକ୍ଷିତ ନୁହେଁ। ଯେକୌଣସି ସମୟରେ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିବାର ଆଶଙ୍କା ଥିବାରୁ କର୍ମଚାରୀମାନେ ମଧ୍ୟ ଭୟଭୀତ ଅଛନ୍ତି। ବର୍ଷା ସମୟରେ ଏଠାରେ ବସି କାମ କରିବାକୁ ସେମାନେ ଅସୁରକ୍ଷିତ ମନେ କରୁଛନ୍ତି।
ପୁରୁଣା ତହସିଲ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବିଷାକ୍ତ ପ୍ରାଣୀ ଓ ସାପ ରହୁଥିବା ଅଭିଯୋଗ ମଧ୍ୟ ରହିଛି। ଜେଲ୍ ପାଚେରୀ ସହ ଲାଗି ରହିଥିବା ତହସିଲ କାର୍ଯ୍ୟାଳୟର କାନ୍ଥ ଏବେ ଦୁର୍ବଳ ହୋଇପଡ଼ିଛି। ପୁରୁଣା କାନ୍ଥ ଖରା, ଶୀତ ଓ ବର୍ଷାରେ ଅଧିକ ଦୁର୍ବଳ ହେଉଛି। କାନ୍ଥ ଭୁଶୁଡ଼ି ପଡ଼ିଲେ ତହସିଲ କାର୍ଯ୍ୟାଳୟ ପଛପଟେ ଚାଲିଥିବା ବିଭିନ୍ନ ବିଭାଗ ଓ ଷ୍ଟୋର୍ରୁମ୍ ମଧ୍ୟ ପ୍ରଭାବିତ ହୋଇପାରେ।
ନିକଟରେ ହୋଇଥିବା ଜିଲ୍ଲାସ୍ତରୀୟ ରାଜସ୍ୱ ବୈଠକରେ ପୁଣିଥରେ ନୂଆ ସ୍ଥାନ ଚୟନ କରି ସେଠାରେ ତହସିଲ କାର୍ଯ୍ୟାଳୟ ସ୍ଥାପନ କରିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସହର ନିକଟବର୍ତ୍ତୀ ଅଞ୍ଚଳରେ ଜମି ଚିହ୍ନଟ କରିବାକୁ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟ କୁହାଯାଇଛି।
ଜମି ଚିହ୍ନଟ ପରେ ନୂଆ କୋଠା ପାଇଁ ଡିପିଆର୍ ଓ ଡିଜାଇନ୍ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ସହ ଅନୁଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ ବୋଲି ତହସିଲଦାରଙ୍କ ପକ୍ଷରୁ ସୂଚନା ମିଳିଛି।
