ଚୂରାଚାନ୍ଦପୁରରେ ସୁରକ୍ଷାବାହିନୀ-ଉଗ୍ରବାଦୀ ଗୁଳିବିନିମୟ, ୨ ଉଗ୍ରବାଦୀ ନିହତ
ଚୂରାଚାନ୍ଦପୁର: ମଣିପୁରର ଚୂରାଚାନ୍ଦପୁର ଜିଲ୍ଲାରେ ଭାରତୀୟ ସେନା ଓ ଆସାମ ରାଇଫଲ୍ସର ମିଳିତ ଅଭିଯାନ ସମୟରେ ସୁରକ୍ଷାବାହିନୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନ୍ଏ)ର ଦୁଇଜଣ ଉଗ୍ରବାଦୀ ନିହତ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।
ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ସାମରିକ ସାମଗ୍ରୀ ଜବତ କରିଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଅଗଷ୍ଟ ୨୯ ରାତିରେ ଚୂରାଚାନ୍ଦପୁର ଜିଲ୍ଲାର ହେଙ୍ଗଲେପ ଉପବିଭାଗର ଫାଇବାଙ୍ଗ ଗାଁରେ ସୁରକ୍ଷାବାହିନୀ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ।
ଗାଁରେ ଥିବା ୟୁକେଏନ୍ଏର ଏକ ଶିବିର ଉପରେ ସୁରକ୍ଷାବାହିନୀ ନଜର ରଖିଥିଲେ। ସେପ୍ଟେମ୍ବର ୨ ତାରିଖ ସକାଳ ୫ଟାରୁ ଶିବିରକୁ ଘେରିବା ପାଇଁ ରଣନୈତିକ ଭାବେ ଅଭିଯାନ ଆରମ୍ଭ କରାଯାଇଥିଲା। ସକାଳ ପ୍ରାୟ ସାଢ଼େ ୫ଟାରେ ସୁରକ୍ଷାବାହିନୀ ଆସୁଥିବା ଦେଖି ୟୁକେଏନ୍ଏ କ୍ୟାଡରମାନେ ହଠାତ୍ ଗୁଳିଚାଳନା କରିଥିଲେ।
ଏହାର ଜବାବରେ ଭାରତୀୟ ସେନା ଓ ଆସାମ ରାଇଫଲ୍ସର ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଗୁଳିବିନିମୟ ପରେ ଦୁଇଜଣ ଉଗ୍ରବାଦୀ ନିହତ ହୋଇଥିବା ଓ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଜବତ ଅସ୍ତ୍ରଶସ୍ତ୍ର ଓ ସାମରିକ ସାମଗ୍ରୀକୁ ଯାଞ୍ଚ କରାଯାଉଛି।
ଅଞ୍ଚଳରେ ଅନ୍ୟ କୌଣସି ଉଗ୍ରବାଦୀ ଲୁଚି ରହିଛନ୍ତି କି ନାହିଁ, ସେନେଇ ସୁରକ୍ଷାବାହିନୀ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି।
