ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରାଳୟଗୁଡ଼ିକର ସମୀକ୍ଷା ବୈଠକ
1 min read

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରାଳୟଗୁଡ଼ିକର ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକରେ ଅଧ୍ୟକ୍ଷତା କରିବେ। ବିଭିନ୍ନ ମନ୍ତ୍ରଣାଳୟର ପ୍ରମୁଖ କାର୍ଯ୍ୟକ୍ରମ, ଯୋଜନାର ଅଗ୍ରଗତି ଓ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଉପରେ ଏଥିରେ ଆଲୋଚନା ହେବ।

ସାମାଜିକ ନ୍ୟାୟ ଓ ଜନକଲ୍ୟାଣ ସମ୍ପର୍କିତ କାର୍ଯ୍ୟକୁ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିପାଇଁ ସମାଜ କଲ୍ୟାଣ ସହ ଜଡ଼ିତ ବିଭାଗର ରାଜ୍ୟମନ୍ତ୍ରୀ ଓ ସ୍ୱାଧୀନ ଦାୟିତ୍ୱରେ ଥିବା ରାଜ୍ୟମନ୍ତ୍ରୀମାନଙ୍କୁ ବୈଠକକୁ ଡକାଯାଇଛି।

ସୂତ୍ର ଅନୁସାରେ, ଶିକ୍ଷା ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ ଏବଂ କୃଷି ମନ୍ତ୍ରଣାଳୟର କାର୍ଯ୍ୟକୁ ସମୀକ୍ଷା କରାଯିବ। ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳସ୍ତରରେ କେତେ ଶୀଘ୍ର କାର୍ଯ୍ୟକାରୀ ହୋଇଛି ଏବଂ ମନ୍ତ୍ରୀମାନେ ନିଜ ଦାୟିତ୍ୱ କେତେଦୂର ସଫଳତାର ସହ ତୁଲାଇଛନ୍ତି, ତାହା ନେଇ ଆଲୋଚନା ହେବ।

ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ଅନୁଯାୟୀ ସେମାନଙ୍କ ପ୍ରଦର୍ଶନ କିପରି ରହିଛି, ସେନେଇ ମଧ୍ୟ ସମୀକ୍ଷା କରାଯିବ। ବିଭିନ୍ନ ମନ୍ତ୍ରଣାଳୟର କାମର ସ୍ଥିତି ଓ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ସମ୍ପର୍କରେ ସ୍ପଷ୍ଟ ଚିତ୍ର ପାଇବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଉପରେ ଆଲୋଚନା ହେଉଥିବାରୁ ଏହି ବୈଠକକୁ ସମ୍ଭାବ୍ୟ କ୍ୟାବିନେଟ୍‌ ପରିବର୍ତ୍ତନ ସହ ଯୋଡ଼ି ଦେଖାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରିମଣ୍ଡଳର ଅଦଳବଦଳ ନେଇ କୌଣସି ଅଧିକାରିକ ସୂଚନା ମିଳିନାହିଁ। ସରକାର ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନ ଉପରେ ନଜର ରଖିଥିବା ସମୟରେ ଏହି ସମୀକ୍ଷା ବୈଠକ ହେଉଛି।

Leave a Reply

Your email address will not be published. Required fields are marked *