ଶିକ୍ଷାର ବିକଳ ଚିତ୍ର: ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ପାଠ ପଢୁଛନ୍ତି ୩୮ ଛାତ୍ରଛାତ୍ରୀ
1 min read

ଶିକ୍ଷାର ବିକଳ ଚିତ୍ର: ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ପାଠ ପଢୁଛନ୍ତି ୩୮ ଛାତ୍ରଛାତ୍ରୀ

ଦେବଗଡ଼: ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କୁ ସୁବିଧାଜନକ ପରିବେଶରେ ପାଠପଢ଼ାଇବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଦୁର୍ଗମ ଅଞ୍ଚଳରେ ଏବେ ବି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସୁଛି। ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ।

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳୀ ପଞ୍ଚାୟତର ପାଉଡ଼ିଭୂୟାଁ ଅଧ୍ୟୁଷିତ ଅଞ୍ଚଳର ଖୁଣ୍ଟାଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଗାଁ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସ୍ଥାପିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ

ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟାଳୟରେ ମାତ୍ର ଗୋଟିଏ ଶ୍ରେଣୀଗୃହ ରହିଛି। ଫଳରେ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ମାଟି ଓ ପଥର ଉପରେ ବସି ଶିକ୍ଷା ଗ୍ରହଣ କରୁଥିବା ଏହି ଦୃଶ୍ୟ ଶିକ୍ଷା ବ୍ୟବସ୍ଥାର ଅବହେଳାକୁ ପଦାରେ ପକାଇଛି।

ଦୀର୍ଘ ବର୍ଷ ପୂର୍ବେ ବିଦ୍ୟାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଶ୍ରେଣୀକୋଠାର ପ୍ଲାଷ୍ଟର କାମ ହୋଇନଥିବା ଅଭିଯୋଗ ହୋଇଛି। ପଥର କାନ୍ଥରୁ ଧାତୁ ବାହାରକୁ ଦେଖାଯାଉଛି। ବିଦ୍ୟାଳୟର କବାଟ ଓ ଝରକା ମଧ୍ୟ ନଷ୍ଟ ହେବାକୁ ବସିଲାଣି। ବର୍ଷା ଦିନେ ଛାତରୁ ପାଣି ଗଳୁଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି।

ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ ଶୌଚାଳୟର ଅବସ୍ଥା ମଧ୍ୟ ଶୋଚନୀୟ। ନିର୍ମାଣ କାମ ଅସମ୍ପୂର୍ଣ୍ଣ ରହିଥିବା ବେଳେ ଏହା ଏବେ ନଷ୍ଟ ହେବାକୁ ବସିଛି। ବିଦ୍ୟାଳୟ ପରିସରରେ ପାଚେରି ନଥିବାରୁ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଏଭଳି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ବିଦ୍ୟାଳୟ ପ୍ରତି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ଶ୍ରେଣୀଗୃହ, ଶୌଚାଳୟ, ପାଚେରି ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ସହ ଯୋଗାଯୋଗ କରାଯିବାରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *