ନେପାଳରେ ବନ୍ୟା ବିପର୍ଯ୍ୟୟ: ୧୬୦ ମୃତ, ୭୦୦ରୁ ଅଧିକ ନିଖୋଜ; ସହାୟତାର ହାତ ବଢ଼ାଇଲା ଭାରତ
1 min read

ନେପାଳରେ ବନ୍ୟା ବିପର୍ଯ୍ୟୟ: ୧୬୦ ମୃତ, ୭୦୦ରୁ ଅଧିକ ନିଖୋଜ; ସହାୟତାର ହାତ ବଢ଼ାଇଲା ଭାରତ

କାଠମାଣ୍ଡୁ, ୨୭/୮: ନେପାଳରେ ବନ୍ୟା ପରିସ୍ଥିତି ଭୟାବହ ରୂପ ନେଇଛି। ବନ୍ୟା ଓ ଏହାଜନିତ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏହି ଦୁର୍ଦ୍ଦିନରେ ପଡ଼ୋଶୀ ନେପାଳକୁ ସହାୟତାର ହାତ ବଢ଼ାଇଛି ଭାରତ।

ନେପାଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଭାରତ ପକ୍ଷରୁ ରିଲିଫ ସାମଗ୍ରୀ ପଠାଯାଇଛି। ଏଥିସହ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଭାରତୀୟ ଟିମ୍‌ଗୁଡ଼ିକ ସହଯୋଗ କରୁଥିବା ଜଣାପଡ଼ିଛି।

ଏହି ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ନେପାଳକୁ ସମସ୍ତ ପ୍ରକାରର ମାନବୀୟ ସହାୟତା ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଥିବା କହିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।

ଅନ୍ୟପଟେ, ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହା ଭାରତର ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ବୁଧବାର ମୋଦିଙ୍କ ସହ ଫୋନ୍‌ରେ ଆଲୋଚନା ପରେ ସେ ସୋସିଆଲ ମିଡିଆରେ ଭାରତର ସହଯୋଗକୁ ପ୍ରଶଂସା କରିଥିଲେ।

ବାଲେନ ଶାହା କହିଛନ୍ତି, ଏହି କଠିନ ସମୟରେ ନେପାଳ ପ୍ରତି ଭାରତ ପ୍ରକାଶ କରିଥିବା ଏକତା ଓ ସହାୟତାର ଉଦାର ପ୍ରସ୍ତାବକୁ ନେପାଳ ହୃଦୟରୁ ପ୍ରଶଂସା କରୁଛି। ଭାରତର ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ବନ୍ଧୁତ୍ୱର ପ୍ରତିଫଳନ ବୋଲି ସେ କହିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବାଲେନ ଶାହାଙ୍କ ସହ ଫୋନ୍‌ରେ କଥା ହୋଇ ନେପାଳରେ ବନ୍ୟାଜନିତ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ। ନେପାଳର ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଭାରତ ସମସ୍ତ ପ୍ରକାରର ସହଯୋଗ ଜାରି ରଖିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *