ସୁଭଦ୍ରା ଯୋଜନାର ୫ମ କିସ୍ତି: ୧.୦୩ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ଟଙ୍କା
ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଆସିଛି ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ନେଇଛନ୍ତି।
ଏହି ପର୍ଯ୍ୟାୟରେ ମୋଟ ୧,୦୩,୨୬,୧୬୨ ଜଣରୁ ଅଧିକ ମହିଳା ଉପକୃତ ହେବେ। ଏଥିପାଇଁ ସରକାର ୫,୧୬୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ସିଧାସଳଖ DBT ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବେ ବୋଲି ସୂଚନା ମିଳିଛି।
ବିଶେଷକରି, ପ୍ରାୟ ୨.୨୧ ଲକ୍ଷ ନୂତନ ଯୋଗ୍ୟ ମହିଳା ଏହି ପର୍ଯ୍ୟାୟରେ ପ୍ରଥମଥର ପାଇଁ ସୁଭଦ୍ରା ଯୋଜନାର ଆର୍ଥିକ ସହାୟତା ପାଇବେ। ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଟଙ୍କା ପାଇନଥିବା ଏବଂ ପରବର୍ତ୍ତୀ ଯାଞ୍ଚରେ ଯୋଗ୍ୟ ବିବେଚିତ ହୋଇଥିବା ମହିଳାମାନଙ୍କୁ ବକେୟା କିସ୍ତି ସହିତ ଏକାସାଙ୍ଗରେ ୫ଟି କିସ୍ତିର ଟଙ୍କା ମିଳିବ ବୋଲି ଜଣାପଡ଼ିଛି।
ଯୋଜନାର ଅର୍ଥ ହସ୍ତାନ୍ତର ପ୍ରକ୍ରିୟାରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ବ୍ୟାଙ୍କିଙ୍ଗ ସେବା, DBT ପ୍ରକ୍ରିୟା ଓ ସ୍ୱଚ୍ଛତା ଉପରେ ବିଶେଷ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଫଳରେ, ନୂତନ ଭାବେ ଯୋଗ୍ୟ ହୋଇଥିବା ମହିଳାଙ୍କ ସମେତ ପୂର୍ବରୁ ଟଙ୍କା ପାଇନଥିବା ଯୋଗ୍ୟ ହିତାଧିକାରୀମାନେ ମଧ୍ୟ ଏହି ପର୍ଯ୍ୟାୟରେ ବଡ଼ ଆର୍ଥିକ ସହାୟତା ପାଇବାକୁ ଯାଉଛନ୍ତି।
