ସୁନ୍ଦରଗଡ଼ରେ ଶିଶୁ ସୁରକ୍ଷା ଯୋଜନା ବାଟବଣା; ସରକାରୀ ସୁବିଧାରୁ ବଞ୍ଚିତ ଅନାଥ ଶିଶୁ
ରାଉରକେଲା: ପିତୃମାତୃହୀନ ଶିଶୁମାନଙ୍କୁ ମୌଳିକ ସୁବିଧା ସହ ସୁରକ୍ଷା ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି।
ଶିଶୁମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାର ହେମଗିରି, ବାଲିଶଙ୍କରା, ସୁନ୍ଦରଗଡ଼, କୁତ୍ରା, ବେଲପାହାଡ଼ା, ରାଉରକେଲା ଓ ଜଗଦା ଭଳି ୭ଟି ସ୍ଥାନରେ ୮ଟି ପଞ୍ଜୀକୃତ ଶିଶୁଯତ୍ନ ଶିକ୍ଷାନୁଷ୍ଠାନ (ସିସିଆଇ) ରହିଛି। ଏଠାରେ ୫ରୁ ୧୫ ବର୍ଷ ବୟସର ପ୍ରାୟ ୩୫୦ ଶିଶୁ ରହୁଛନ୍ତି। ଏହାବ୍ୟତୀତ ୫ଟି ଅଣପଞ୍ଜୀକୃତ ଅନୁଷ୍ଠାନରେ ୫୦୦ରୁ ଅଧିକ ଶିଶୁ ଥିବା ଜଣାପଡ଼ିଛି।
ତେବେ ୮ଟି ପଞ୍ଜୀକୃତ ସିସିଆଇ ମଧ୍ୟରୁ ମାତ୍ର ୪ଟି ଅନୁଷ୍ଠାନ ସରକାରୀ ସୁବିଧା ପାଉଛି। ଅନ୍ୟ ୪ଟି ପଞ୍ଜୀକୃତ ସଂସ୍ଥା ସହ ଅଣପଞ୍ଜୀକୃତ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଆବଶ୍ୟକ ସରକାରୀ ସହାୟତା ମିଳୁନାହିଁ। ସରକାରୀ ଅନୁଦାନ ପାଉଥିବା ସିସିଆଇରେ ଥିବା ଶିଶୁଙ୍କ ପିଛା ମାସକୁ ୩ ହଜାର ଟଙ୍କା ଦିଆଯାଉଥିବାବେଳେ ଅନ୍ୟ ଶିଶୁମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି।
ପଞ୍ଜୀକୃତ ଓ ସରକାରୀ ସୁବିଧା ପାଇଁ ପ୍ରତିବର୍ଷ ଆବେଦନ କରାଯାଉଥିଲେ ମଧ୍ୟ ଏହାର ସୁଫଳ ମିଳୁନଥିବା ଅଭିଯୋଗ ରହିଛି। ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଉଥିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ।
ଏପରି ସ୍ଥିତିରେ ଜିଲ୍ଲାର ଉପାନ୍ତ ବ୍ଲକ୍ କୋଇଡ଼ା, ଗୁରୁଣ୍ଡିଆ, ଲହୁଣୀପଡ଼ା, ବଣାଇ, ନୂଆଗାଁ, କୁଆରମୁଣ୍ଡା ଆଦି ପ୍ରାୟ ୫୦ ପ୍ରତିଶତ ବ୍ଲକ୍ରେ ସିସିଆଇ ଖୋଲିପାରିନାହିଁ। ଫଳରେ ପିତୃମାତୃହୀନ ଶିଶୁମାନେ ଦିଗଭ୍ରାନ୍ତ ହୋଇ କେହି ହୋଟେଲ, ଗ୍ୟାରେଜ୍ ଓ ଦୋକାନରେ କାମ କରୁଥିବାବେଳେ ଆଉ କେତେକ ନାବାଳିକା ରୋଜଗାର ଆଶାରେ ବାହାର ରାଜ୍ୟକୁ ଚାଲିଯାଉଥିବା ଅଭିଯୋଗ ରହିଛି।
ନିରାଶ୍ରୟ ଶିଶୁଙ୍କ ଦେଖାଶୁଣା ପାଇଁ ଜିଲ୍ଲାରେ ଦୁଇଟି ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ବଦଳରେ ଗୋଟିଏ କମିଟି ରହିଥିବାରୁ ମଧ୍ୟ ସମସ୍ୟା ଜଟିଳ ହେଉଛି। ପ୍ରତି ବ୍ଲକ୍ରେ ଗୋଟିଏ ଲେଖାଏଁ ସିସିଆଇ ଖୋଲାଯାଇପାରିଲେ ପିତୃମାତୃହୀନ ଶିଶୁମାନେ ଅଧିକ ସୁରକ୍ଷା ଓ ସରକାରୀ ସୁବିଧା ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କହିଛନ୍ତି ଯେ ସିସିଆଇ ପାଇଁ ପ୍ରସ୍ତାବିତ ଫାଇଲ୍ ରାଜ୍ୟ ସରକାରଙ୍କୁ ପଠାଯାଉଛି। ରାଜ୍ୟ ସରକାର ଏହାକୁ କେନ୍ଦ୍ରର ଅନୁମୋଦନ ପାଇଁ ପଠାଉଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଗାମୀ ଦିନରେ ଶିଶୁ ସଦନ ଖୋଲିବାକୁ ଯୋଜନା ରହିଛି।
ପୂର୍ବତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଓ ଅଧ୍ୟକ୍ଷା ବବିତା ମହାପାତ୍ର କହିଛନ୍ତି ଯେ ଶିଶୁ ସୁରକ୍ଷାକୁ ସରକାର ପ୍ରାଥମିକତା ଦେବା ଆବଶ୍ୟକ। ଅଧିକରୁ ଅଧିକ ସିସିଆଇ ଖୋଲାଗଲେ ଜିଲ୍ଲାର ପିତୃମାତୃହୀନ ଓ ନିରାଶ୍ରୟ ଶିଶୁମାନେ ସେମାନଙ୍କ ଅଧିକାର ଓ ସୁରକ୍ଷା ପାଇପାରିବେ।