ଅନୁଗୁଳରେ ବେଆଇନ ଭାବେ ଚାଲିଛି କୋଲ୍ଷ୍ଟକ୍ ୟାର୍ଡ; ଗାଁ ପରିବେଶ ପ୍ରଦୂଷିତ
ଅନୁଗୁଳ/ତାଳଚେର: ଅନୁଗୁଳ ଜିଲ୍ଲାରେ ବେଆଇନ ଭାବେ କୋଲ୍ଷ୍ଟକ୍ ୟାର୍ଡ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ରେଲୱେ ସାଇଡିଂ ବଦଳରେ ଘରୋଇ ଜମିରେ ବିପୁଳ ପରିମାଣର କୋଇଲା ଗଚ୍ଛିତ କରାଯାଉଥିବାରୁ ଗାଁର ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି।
ଅନୁଗୁଳ ଜିଲ୍ଲା ହଣ୍ଡପା ରେଳଷ୍ଟେସନ ନିକଟରେ ଘରୋଇ ଜମିରେ ବେଆଇନ ଭାବେ ବିପୁଳ ପରିମାଣର କୋଇଲା ଗଚ୍ଛିତ ରଖାଯାଇଥିବା ନେଇ ଅଭିଯୋଗ ଆସିଛି। ସରକାରୀ ନିୟମକୁ ଅଣଦେଖା କରି ଘରୋଇ ଜମିରେ କୋଇଲା ଷ୍ଟକୟାର୍ଡ କରାଯାଇଥିବା ଦେଖିବାକୁ ମିଳିଛି।
ସରକାରୀ ନିୟମ ଅନୁସାରେ କେବଳ ରେଳୱେ ସାଇଡିଂରେ କୋଇଲା ଷ୍ଟକ୍ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ହଣ୍ଡପା ରେଳଷ୍ଟେସନ ନିକଟରେ ଏହି ନିୟମକୁ ଫୁ କରି ଘରୋଇ ଜମିରେ ବିପୁଳ ପରିମାଣର କୋଇଲା ରଖାଯାଇଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ହେଲା ଘରୋଇ ଜମିରେ କୋଇଲା ମହଜୁଦ ରହିଛି। କୋଇଲାରୁ ଉଡୁଥିବା ଧୂଳି ଓ ଧୂଆଁ ଯୋଗୁଁ ଗାଁ ପରିବେଶ ପ୍ରଦୂଷିତ ହେବା ସହ ନିକଟସ୍ଥ ନାଳର ପାଣି ମଧ୍ୟ ପ୍ରଦୂଷିତ ହେଉଛି। ଏହାକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିବା ସହ ପ୍ରଶାସନ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ଏହି ସ୍ଥାନରେ ବେଆଇନ ଭାବେ କୋଇଲା ଷ୍ଟକୟାର୍ଡ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଚାଲିଥିବାରୁ ପ୍ରଶାସନ ପକ୍ଷରୁ ପ୍ଲଟ୍କୁ ବନ୍ଦ କରାଯାଇଥିଲା। ଏବେ ସରକାରୀ ସିଲ୍ ଭାଙ୍ଗି ପୁଣିଥରେ ସେଠାରେ ବେଆଇନ ଭାବେ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି।
ଏହାକୁ ସିଧାସଳଖ ରାଜ୍ୟ ସରକାରଙ୍କ ଇଣ୍ଟିଗ୍ରେଟେଡ୍ ମାଇନ୍ସ ଆଣ୍ଡ ମିନେରାଲ୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ର ନିୟମ ଉଲ୍ଲଂଘନ ବୋଲି ଅଭିଯୋଗ କରାଯାଉଛି। ଅନ୍ୟପକ୍ଷରେ ଗାଁ ରାସ୍ତା ଦେଇ ବେଆଇନ ଭାବେ କୋଇଲା ପରିବହନ ହେଉଥିବାରୁ ରାସ୍ତା ନଷ୍ଟ ହେବା ସହ ସରକାରୀ ରାଜସ୍ୱ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।