ବାଲ୍ମୀକିକୁ ଜଳ ସମ୍ପଦ ପରିଚାଳନାର ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରାଯିବ
ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲ୍ମୀ)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
ଏହି ଉଦ୍ଦେଶ୍ୟରେ ୱାଲ୍ମୀ ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନ୍ଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍-ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍) ସହ ୩ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି।
ବିଭାଗର ସିଭିଲ୍ ସଚିବାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଅଧ୍ୟକ୍ଷତା କରିଥିଲେ। ଜାତୀୟ ଜଳ ଏକାଡେମୀ ପକ୍ଷରୁ ମୁଖ୍ୟ ଯୁଗ୍ମ ଅଧ୍ୟକ୍ଷ ଓସିମ୍ ଅଶରଫ୍, ଏନ୍ଡବ୍ଲ୍ୟୁଏ ପକ୍ଷରୁ ସମ୍ପୃକ୍ତ ଅଧିକାରୀ ଏବଂ ଅନ୍ୟ ସଂସ୍ଥାର ପ୍ରତିନିଧିମାନେ ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ।
ଏହି ସହଯୋଗ ମାଧ୍ୟମରେ ଯୁଗ୍ମ ଓ ଆବଶ୍ୟକତାଭିତ୍ତିକ ପ୍ରଶିକ୍ଷଣ, ଜ୍ଞାନ ଆଦାନପ୍ରଦାନ ଏବଂ ଜଳ ସମ୍ପଦ ପରିଚାଳନାରେ ସମକାଳୀନ ପଦ୍ଧତି ସମ୍ପର୍କରେ ଅଭିଜ୍ଞତା ହାସଲ ଉପରେ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ୱାଲ୍ମୀ ଜାତୀୟସ୍ତରୀୟ ବିଶେଷଜ୍ଞତା ଓ ଉନ୍ନତ ପ୍ରଶିକ୍ଷଣ ସୁବିଧାର ଲାଭ ଉଠାଇପାରିବ।
ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍ ସହ ହୋଇଥିବା ସହଯୋଗ ମାଧ୍ୟମରେ ଗବେଷଣା, ପ୍ରଯୁକ୍ତି ଏବଂ କ୍ଷେତ୍ରସ୍ତରୀୟ ପ୍ରୟୋଗ ମଧ୍ୟରେ ସମନ୍ୱୟ ଆହୁରି ସୁଦୃଢ଼ ହେବ। କୃଷି ଜଳ ପରିଚାଳନା, ଜଳ ବ୍ୟବହାର ଦକ୍ଷତା ଏବଂ ଜଳବାୟୁ-ସହନଶୀଳ ସେଚ ବ୍ୟବସ୍ଥା ଭଳି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ଓ ବିଶେଷଜ୍ଞତାର ଲାଭ ୱାଲ୍ମୀ ପାଇପାରିବ।
ଏହାସହ ଆଇଓଟି ଓ ସେନ୍ସର ଆଧାରିତ ଜଳ ପରିଚାଳନା, ସଠିକ୍ ସେଚ ବ୍ୟବସ୍ଥା ଏବଂ ଡିଜିଟାଲ୍ ପ୍ରଯୁକ୍ତିର ପ୍ରୟୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ୱାଲ୍ମୀକୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ପାଇଁ ଏହାର ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯିବ। ପ୍ରଶିକ୍ଷଣ ଓ ଏକାଡେମିକ୍ ସୁବିଧା, ହଷ୍ଟେଲ୍, ଅଡିଟୋରିୟମ୍, ସିଭିଲ୍ ଲ୍ୟାବ୍, ପାଠାଗାରର ଆଧୁନିକୀକରଣ ସହ ଅଡିଓ-ଭିଜୁଆଲ୍ ସୁବିଧା ସମ୍ପନ୍ନ ଶ୍ରେଣୀଗୃହ, ସମଗ୍ର କ୍ୟାମ୍ପସ୍ରେ ୱାଇ-ଫାଇ ସଂଯୋଗ ଏବଂ ନୂତନ ୧୦୦ ସିଟ୍ ବିଶିଷ୍ଟ ହଷ୍ଟେଲ୍ ନିର୍ମାଣ ଯୋଜନା ରହିଛି।
କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ୱାଲ୍ମୀ, ଏନ୍ଡବ୍ଲ୍ୟୁଏ, ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍ ଏବଂ ଓସିସିଏଲ୍ର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ତିନି ସଂସ୍ଥା ସହଯୋଗରେ ୱାଲ୍ମୀର ପ୍ରଶିକ୍ଷଣ, ଗବେଷଣା ଓ ଜଳ ସମ୍ପଦ ପରିଚାଳନା କ୍ଷମତା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।