ଉତ୍ତର ଓଡ଼ିଶାରେ ବଢ଼ିଲା ବନ୍ୟା ବିପଦ, ୯.୪୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଆହୁରି ସଙ୍ଗିନ ହୋଇଛି। ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବା ବେଳେ ଯାଜପୁର, ଭଦ୍ରକ ସମେତ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଚିନ୍ତା ବଢ଼ାଇଛି। ବନ୍ୟାରେ ପ୍ରାୟ ୯.୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩.୩୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ଓ ତୁରନ୍ତ ରିଲିଫ୍‌ ବ୍ୟବସ୍ଥା ନେଇ ଏଥିରେ ଆଲୋଚନା ହୋଇଛି।

ଏପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଝାଡ଼ଖଣ୍ଡ ଓ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ଗତି କରିଥିଲେ ମଧ୍ୟ ଓଡ଼ିଶାର କିଛି ଅଞ୍ଚଳରେ ଆହୁରି ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି ହୋଇଛି। ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର ଓ ବଲାଙ୍ଗୀର ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହାସହ ଘଡ଼ଘଡ଼ି, ବଜ୍ରପାତ ଓ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ମଧ୍ୟ ସତର୍କତା ଜାରି ହୋଇଛି।

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର ବହଳଦାରେ ୨୭୩ ମିମି ଓ ରାଇରଙ୍ଗପୁରରେ ୨୦୭ ମିମି ବର୍ଷା ରେକର୍ଡ ହୋଇଛି। ବାଲେଶ୍ୱରରେ ୯୩.୧ ମିମି ବର୍ଷା ହୋଇଛି।

ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍‌ ଦିଲୀପ କୁମାର ରାଉତଙ୍କ ସୂଚନା ଅନୁସାରେ, ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବର୍ତ୍ତମାନ ସ୍ଥିର ରହିଛି। ତେବେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଅଧିକ ବର୍ଷା ହେଲେ ଏହି ଦୁଇ ନଦୀର ଜଳସ୍ତର ପୁଣି ବଢ଼ିପାରେ। ସେହିପରି ଝାଡ଼ଖଣ୍ଡର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ବଢ଼ିବା ଆଶଙ୍କା ରହିଛି।

ସୁବର୍ଣ୍ଣରେଖାର ବନ୍ୟାଜଳ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ ଓ ଜଳେଶ୍ୱର ଭଳି ଅଞ୍ଚଳକୁ ପ୍ରଭାବିତ କରିପାରେ। ଝାଡ଼ଖଣ୍ଡରୁ ଛଡ଼ାଯାଇଥିବା ଅତିରିକ୍ତ ବନ୍ୟାଜଳ ବୁଧବାର ବାଲେଶ୍ୱରରେ ପହଞ୍ଚିବାର ସମ୍ଭାବନା ରହିଛି।

ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଅଗଷ୍ଟ ୧୮ ତାରିଖରେ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଆଇଏମ୍‌ଡି ପରାମର୍ଶ ଦେଇଛି।

Leave A Reply

Your email address will not be published.