ନୂଆଦିଲ୍ଲୀ, ୧୭/୮: ଭାଜପାର ନୂଆ ସଭାପତି ନୀତିନ ନବୀନ ନିଜର ନୂଆ ଜାତୀୟ ଟିମ୍ ଘୋଷଣା କରିଛନ୍ତି। ନୂଆ ଟିମ୍ରେ ବରିଷ୍ଠ ନେତାଙ୍କ ସହ ଯୁବ ଓ ମହିଳା ନେତୃତ୍ୱକୁ ମଧ୍ୟ ସ୍ଥାନ ଦିଆଯାଇଛି। ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନଜରରେ ରଖି ନୂଆ ଟିମ୍ରେ ରାଜ୍ୟଭିତ୍ତିକ ସନ୍ତୁଳନ ରଖାଯାଇଥିବା ଦେଖାଯାଇଛି।
ନୂଆ ଟିମ୍ରେ ସ୍ମୃତି ଇରାନୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଜାତୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ରାଜ୍ୟର ବରିଷ୍ଠ ନେତାଙ୍କୁ ମଧ୍ୟ ଜାତୀୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦ ମିଳିଛି।
ବିଏଲ୍ ସନ୍ତୋଷଙ୍କୁ ସଂଗଠନର ଦାୟିତ୍ୱ
ବିଏଲ୍ ସନ୍ତୋଷଙ୍କୁ ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଶିବପ୍ରକାଶ ଓ ସୌଦାନ ସିଂହଙ୍କୁ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) କରାଯାଇଛି।
ଜାତୀୟ ସାଧାରଣ ସମ୍ପାଦକ ଭାବେ ବିନୋଦ ତାୱଡେ, ସୁନୀଲ ବଂଶଲ, ବିପ୍ଳବ କୁମାର ଦେବ, ସ୍ମୃତି ଇରାନୀ, ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଓ ସଞ୍ଜୟ ଭାଟିଆଙ୍କୁ ଦାୟିତ୍ୱ ମିଳିଛି।
ଓଡ଼ିଶାରୁ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର
ନୂଆ ଜାତୀୟ ଟିମ୍ରେ ଓଡ଼ିଶାକୁ ମଧ୍ୟ ପ୍ରତିନିଧିତ୍ୱ ମିଳିଛି। ବୈଜୟନ୍ତ ପଣ୍ଡାଙ୍କୁ ପୁଣିଥରେ ଜାତୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସେହିପରି ସମ୍ବିତ ପାତ୍ରଙ୍କୁ ନର୍ଥ ଇଷ୍ଟର ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି।
ଏହାକୁ ନେଇ ଓଡ଼ିଶା ଭାଜପା ଶିବିରରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
ବିଭିନ୍ନ ରାଜ୍ୟର ନେତାଙ୍କୁ ଗୁରୁତ୍ୱ
ମହାରାଷ୍ଟ୍ରରୁ ଭାରତୀ ପାୱାରଙ୍କୁ ଜାତୀୟ ଉପାଧ୍ୟକ୍ଷ ଏବଂ ବିନୋଦ ତାୱଡେଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ପୀୟୁଷ ଗୋୟଲଙ୍କୁ ଜାତୀୟ କୋଷାଧ୍ୟକ୍ଷ କରାଯାଇଛି।
ରାଜସ୍ଥାନରୁ ବସୁନ୍ଧରା ରାଜେଙ୍କୁ ଜାତୀୟ ଉପାଧ୍ୟକ୍ଷ ଓ ସତୀଶ ପୁନିଆଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ଉତ୍ତରାଖଣ୍ଡରୁ ତୀରଥ ସିଂହ ରାୱତଙ୍କୁ ଉପାଧ୍ୟକ୍ଷ କରାଯାଇଛି।
ମଧ୍ୟପ୍ରଦେଶରୁ ଲାଲ ସିଂହ ଆର୍ଯ୍ୟଙ୍କୁ ଉପାଧ୍ୟକ୍ଷ ଏବଂ ଗଜେନ୍ଦ୍ର ପଟେଲଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ଗୁଜରାଟରୁ ବର୍ଷବେନ ନରେନ୍ଦ୍ରଭାଇ ଦୋଷୀଙ୍କୁ ଜାତୀୟ ଉପାଧ୍ୟକ୍ଷ କରାଯାଇଛି।
ପଞ୍ଜାବର ମନପ୍ରୀତ ସିଂହ ବାଦଲଙ୍କୁ ଜାତୀୟ ଉପାଧ୍ୟକ୍ଷ ଏବଂ ତରୁଣ ଚୁଗଙ୍କୁ ଜାତୀୟ କାର୍ଯ୍ୟାଳୟ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ହରିୟାଣାରୁ ସଞ୍ଜୟ ଭାଟିଆ ଜାତୀୟ ସାଧାରଣ ସମ୍ପାଦକ ହୋଇଛନ୍ତି।
ଯୁବ ଓ ମହିଳାଙ୍କୁ ମଧ୍ୟ ଗୁରୁତ୍ୱ
ନୂଆ ଟିମ୍ରେ ମହିଳା ନେତାଙ୍କୁ ମଧ୍ୟ ଉଲ୍ଲେଖନୀୟ ସ୍ଥାନ ଦିଆଯାଇଛି। ଏହା ସହ ବିଭିନ୍ନ ସାମାଜିକ ଓ ଆଞ୍ଚଳିକ ସମୀକରଣକୁ ଧ୍ୟାନରେ ରଖି ନୂଆ ଟିମ୍ ଗଠନ କରାଯାଇଥିବା ଦେଖାଯାଉଛି।
ଆସନ୍ତା ଦିନରେ ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ନୀତିନ ନବୀନଙ୍କ ନୂଆ ଟିମ୍ ଭାଜପାର ନିର୍ବାଚନୀ ରଣନୀତିରେ କିଭଳି ଭୂମିକା ନେବ, ତାହା ଉପରେ ଏବେ ନଜର ରହିଛି।