ହିମାଚଳରେ ନକଲି ଔଷଧ କାରଖାନା ଠାବ

ନୂଆଦିଲ୍ଲୀ : ଦେଶରେ ନକଲି ଔଷଧ କାରବାରକୁ ନେଇ ବଡ଼ ଖୁଲାସା ହୋଇଛି । ଉତ୍ତର ପ୍ରଦେଶର ଫୁଡ୍ ସେଫ୍ଟି ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (UPFSDA) ଏବଂ ସ୍ପେଶାଲ୍ ଟାସ୍କ ଫୋର୍ସ (STF)ର ମିଳିତ ଟିମ୍ ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲା ଅନ୍ତର୍ଗତ ନାଲାଗଡ଼ରେ ଏକ ବେଆଇନ ଔଷଧ ଉତ୍ପାଦନ କାରଖାନା ଉପରେ ଚଢ଼ାଉ କରିଛି । ଏଠାରେ ପ୍ରସିଦ୍ଧ ଔଷଧ କମ୍ପାନୀଗୁଡ଼ିକର ବ୍ରାଣ୍ଡ୍ ନାମ ଓ ପ୍ୟାକେଜିଂ ବ୍ୟବହାର କରି ନକଲି ଔଷଧ ପ୍ରସ୍ତୁତ କରାଯାଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁସାରେ, ନାଲାଗଡ଼ର ରାଜପୁରା, ଖେଡ଼ା ବାଇପାସ୍ ଅଞ୍ଚଳରେ ଏହି କାରଖାନା ଚାଲୁଥିଲା । ଏଠାରେ ଆଣ୍ଟିବାୟୋଟିକ୍, ନ୍ୟୁରୋ ମେଡିସିନ୍ ଏବଂ ଏସିଡିଟି ସମ୍ବନ୍ଧୀୟ ଔଷଧ ବେଆଇନ ଭାବେ ଉତ୍ପାଦନ କରାଯାଉଥିଲା । ଏହି ଔଷଧଗୁଡ଼ିକୁ ଜଣାଶୁଣା କମ୍ପାନୀର ଅସଲି ଉତ୍ପାଦ ଭଳି ଦେଖାଇବା ପାଇଁ ସେମାନଙ୍କ ବ୍ରାଣ୍ଡ୍ ନାମ ଓ ପ୍ୟାକେଜିଂ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି । ଚଢ଼ାଉ ସମୟରେ ତଦନ୍ତକାରୀ ଟିମ୍ କାରଖାନାରୁ ଔଷଧ ଉତ୍ପାଦନ ଓ ପ୍ୟାକେଜିଂରେ ବ୍ୟବହୃତ ବିଭିନ୍ନ ମେସିନ୍ ଏବଂ ଯନ୍ତ୍ରପାତି ଜବତ କରିଛି । ଏଥିରେ ବ୍ଲିଷ୍ଟର ପ୍ୟାକିଂ ମେସିନ୍, ଆଲୁମିନିୟମ୍ ପ୍ୟାକିଂ ମେସିନ୍, କ୍ୟାପସୁଲ୍ ଫିଲିଂ ମେସିନ୍ ଏବଂ ଓଜନ ମାପିବା ଉପକରଣ ରହିଛି । ଏହା ସହିତ ଔଷଧର ନକଲି ପ୍ୟାକେଟ୍ ପ୍ରସ୍ତୁତିରେ ବ୍ୟବହୃତ ପ୍ରିଣ୍ଟେଡ୍ ଫଏଲ୍ ଓ ଷ୍ଟେରିଓ ପ୍ରିଣ୍ଟିଂ ସମ୍ବନ୍ଧୀୟ ଉପକରଣ ମଧ୍ୟ ଜବତ ହୋଇଛି । ତଦନ୍ତକାରୀ ସଂସ୍ଥାଙ୍କ ସନ୍ଦେହ ଅନୁସାରେ, ଏହି ଯନ୍ତ୍ରପାତି ଓ ପ୍ୟାକେଜିଂ ସାମଗ୍ରୀ ସାହାଯ୍ୟରେ ନକଲି ଔଷଧକୁ ଅସଲି ବ୍ରାଣ୍ଡ୍ର ଉତ୍ପାଦ ଭଳି ପ୍ରସ୍ତୁତ କରାଯାଉଥିଲା । ପରେ ସେଗୁଡ଼ିକୁ ପ୍ରକୃତ ଔଷଧ ଭାବେ ବଜାରରେ ବିକ୍ରି କରାଯାଉଥିବା ଆଶଙ୍କା ରହିଛି ।
