ଦୁଇ ଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀକୁ ଉଦଘାଟନ କଲେ ଶାହ
ନୂଆଦିଲ୍ଲୀ: ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଆତଙ୍କବାଦର ମୂଳୋତ୍ପାଟନ କରିବା ଲକ୍ଷ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ନୂଆଦିଲ୍ଲୀରେ ଦୁଇ ଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଚଳିତ ବର୍ଷ ସୀମାପାର ଆତଙ୍କବାଦକୁ ମୁଖ୍ୟ ପ୍ରସଙ୍ଗ ଭାବେ ରଖାଯାଇଛି। କେନ୍ଦ୍ରୀୟ ଏଜେନ୍ସି, ରାଜ୍ୟ ପୁଲିସ ଏବଂ ବୈଷୟିକ ଓ ଫରେନସିକ୍ ବିଶେଷଜ୍ଞମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଭବିଷ୍ୟତର ଆତଙ୍କବାଦ ନିରୋଧୀ ରଣନୀତି ପ୍ରସ୍ତୁତ କରିବା ଏହାର ମୂଳ ଉଦ୍ଦେଶ୍ୟ।ଗୃହ ମନ୍ତ୍ରଣାଳୟର ସୂଚନା ମୁତାବକ, ଦୁଇ ଦିନିଆ ଅଧିବେଶନରେ ବିଦେଶୀ ରାଷ୍ଟ୍ରରୁ ପ୍ରମାଣ ସଂଗ୍ରହ, ଡିଜିଟାଲ ଫରେନସିକ୍ ବ୍ୟବହାର, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ନେଟୱର୍କ ଧ୍ୱଂସ କରିବା ଏବଂ ମୌଳବାଦର ମୁକାବିଲା ଉପରେ ବିସ୍ତୃତ ଆଲୋଚନା ହେବ। ଏହାସହ ରାଜ୍ୟ ପୁଲିସ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି, ଯେଉଁଥିରେ ନୂତନ ଅପରାଧିକ ଆଇନର ପ୍ରୟୋଗ ଏବଂ ସାକ୍ଷୀଙ୍କ ସୁରକ୍ଷା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାର ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି।
