କଲମ୍ବିଆରେ ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୭.୪

ବୋଗୋଟା: ଦକ୍ଷିଣ ଆମେରିକାର କଲମ୍ବିଆରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପଶ୍ଚିମ କଲମ୍ବିଆରେ ଘଟିଥିବା ଏହି ଭୂମିକମ୍ପର ତୀବ୍ରତା ୭.୪ ଥିବା ଜଣାପଡ଼ିଛି। ଏହାର ଝଟକା ଦେଶର ଏକାଧିକ ସହର ସମେତ ଭେନେଜୁଏଲା ସୀମାନ୍ତ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।

ସ୍ଥାନୀୟ ସମୟ ସକାଳ ପ୍ରାୟ ୭ଟା ୩୪ ମିନିଟରେ ଭୂମିକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ସାନ୍ ଜୋସ୍ ଡେଲ୍ ପାଲମାର ନିକଟରେ ଭୂପୃଷ୍ଠରୁ ପ୍ରାୟ ୧୦୭ କିଲୋମିଟର ଗଭୀରରେ ରହିଥିଲା।

ରାଜଧାନୀ ବୋଗୋଟାରେ ମଧ୍ୟ ଭୂମିକମ୍ପର ଝଟକା ଜୋର୍‌ରେ ଅନୁଭୂତ ହୋଇଥିଲା। ଭୟରେ ଅନେକ ଲୋକ କୋଠାବାଡ଼ିରୁ ବାହାରକୁ ଚାଲି ଆସିଥିଲେ। ବୋଗୋଟାରୁ ଭୂମିକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୨୮୦ କିଲୋମିଟର ଦୂରରେ ଥିବା କୁହାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, କେତେକ କୋଠାରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ମୃତାହତ କିମ୍ବା ବ୍ୟାପକ କ୍ଷୟକ୍ଷତି ସମ୍ପର୍କିତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି।

Leave A Reply

Your email address will not be published.