ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାରରେ ଲାଗିବ କଟକଣା?

ଲୋକସଭାରେ ପ୍ରାଇଭେଟ୍ ବିଲ୍ ଆଣିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଦେଶରେ ବଢ଼ୁଥିବା ଚିନ୍ତା ମଧ୍ୟରେ ଲୋକସଭାରେ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ତାଲିକାଭୁକ୍ତ ହୋଇଛି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଆଗତ ଏହି ବିଲ୍‌ରେ ଶିଶୁ ଓ କିଶୋରଙ୍କୁ ସୋସିଆଲ ମିଡିଆ ଏବଂ ଅନଲାଇନ୍ ପ୍ଲାଟଫର୍ମର କ୍ଷତିକାରକ ପ୍ରଭାବରୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।

‘ସେଫଗାର୍ଡିଂ ହେଲ୍ଦି ଇଣ୍ଟରନେଟ୍ ଏନଭାୟରନମେଣ୍ଟସ ଫର୍ ଲିଟିଲ୍ ଡିଜିଟାଲ-ନେଟିଭ୍ସ (ସିଲ୍ଡ) ବିଲ୍, ୨୦୨୫’ ଅନୁଯାୟୀ, ୧୩ ବର୍ଷରୁ କମ୍ ବୟସର ଶିଶୁ ଅଭିଭାବକଙ୍କ ସମ୍ମତି ବିନା ସୋସିଆଲ ମିଡିଆ କିମ୍ବା ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ଆକାଉଣ୍ଟ ଖୋଲିପାରିବେ ନାହିଁ।

ରହିବ ପ୍ୟାରେଣ୍ଟାଲ କଣ୍ଟ୍ରୋଲ

ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଅଭିଭାବକଙ୍କ ପାଇଁ ‘ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଡ୍ୟାସବୋର୍ଡ’ ଯୋଗାଇବାକୁ ପଡ଼ିପାରେ। ଏହା ମାଧ୍ୟମରେ ଅଭିଭାବକମାନେ ପିଲାଙ୍କ ଅନଲାଇନ୍ କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ।

ଏଥିସହ କୌଣସି କ୍ଷତିକାରକ ବିଷୟବସ୍ତୁ ବିରୋଧରେ ଅଭିଯୋଗ ମିଳିଲେ ତାହାର ଯାଞ୍ଚ କରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହଟାଇବାର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଆପ୍‌ରେ ‘Report Child Harm’ ବଟନ୍ ରଖିବାର ପ୍ରସ୍ତାବ ମଧ୍ୟ ରହିଛି।

ଉଲ୍ଲଂଘନ କଲେ ଜରିମାନା

ବିଲ୍‌ରେ ନିୟମ ଉଲ୍ଲଂଘନ କରୁଥିବା ପ୍ଲାଟଫର୍ମ ଉପରେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥାର ପ୍ରସ୍ତାବ ରହିଛି। ବାରମ୍ବାର ନିୟମ ଉଲ୍ଲଂଘନ ହେଲେ ସେବାକୁ ସସ୍ପେଣ୍ଡ କିମ୍ବା ବ୍ଲକ୍ କରିବା ଭଳି କଠୋର ପଦକ୍ଷେପ ନିଆଯାଇପାରେ।

ଶିଶୁ ସୁରକ୍ଷା କିମ୍ବା କ୍ଷତିକାରକ ବିଷୟବସ୍ତୁ ହଟାଇବାରେ ଅବହେଳା କରୁଥିବା ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦଣ୍ଡବିଧାନର ପ୍ରସ୍ତାବ ରହିଛି।

ଅନେକ ଦେଶରେ କଠୋର ନିୟମ

ଶିଶୁମାନଙ୍କୁ ସୋସିଆଲ ମିଡିଆର ସମ୍ଭାବ୍ୟ କ୍ଷତିରୁ ସୁରକ୍ଷା ଦେବା ପାଇଁ ବିଶ୍ୱର ବିଭିନ୍ନ ଦେଶରେ ନିୟମ କଡ଼ା କରାଯାଉଛି। ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଠୋର ପ୍ରତିବନ୍ଧକ ଲାଗୁ କରିଛି। ଅନ୍ୟ କେତେକ ଦେଶ ମଧ୍ୟ ଶିଶୁଙ୍କ ଅନଲାଇନ୍ ସୁରକ୍ଷାକୁ ନେଇ ନୂଆ ନିୟମ ଆଣୁଛନ୍ତି।

ତେବେ ଭାରତରେ ଏହି ପ୍ରାଇଭେଟ୍ ବିଲ୍ ଆଇନର ରୂପ ନେବ କି ନାହିଁ, ତାହା ଉପରେ ଏବେ ନଜର ରହିଛି।

Leave A Reply

Your email address will not be published.