ହୀରାକୁଦରୁ ବଢ଼ିଲା ବନ୍ୟାଜଳ ନିଷ୍କାସନ, ଖୋଲିଲା ଆଉ ୪ ଗେଟ୍

ସମ୍ବଲପୁର, ୧୦/୮: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରବିବାର ପୁଣି ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିଛି। ଫଳରେ ଜଳସ୍ତର ବଢ଼ିବାରେ ଲାଗିଥିବାରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଏହାପରେ ବର୍ତ୍ତମାନ ହୀରାକୁଦର ବାମ ପାର୍ଶ୍ୱର ୮ଟି ଏବଂ ଡାହାଣ ପାର୍ଶ୍ୱର ୪ଟିକୁ ମିଶାଇ ମୋଟ ୧୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

ରାତି ୯ଟା ୩୦ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୮୩ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୯୧ ହଜାର ୦୧୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ମୋଟ ୨ ଲକ୍ଷ ୧୫ ହଜାର ୦୮୨ ଘନଫୁଟ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ ହେଉଛି।

ସେଥିମଧ୍ୟରୁ ୧୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୧ ଲକ୍ଷ ୮୨ ହଜାର ୧୪୮ ଘନଫୁଟ, ପାୱାର ଚ୍ୟାନେଲରେ ୩୦,୪୩୧ ଘନଫୁଟ, ବରଗଡ଼ କେନାଲରେ ୧,୮୯୩ ଘନଫୁଟ, ଶାସନ କେନାଲରେ ୩୦୦ ଘନଫୁଟ, ସମ୍ବଲପୁର କେନାଲରେ ୮୧ ଘନଫୁଟ ଏବଂ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୨୯ ଘନଫୁଟ ଜଳ ନିଷ୍କାସିତ ହେଉଛି।

ହୀରାକୁଦ ଜଳଭଣ୍ଡାର ନିୟନ୍ତ୍ରଣ କକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଜଳଭଣ୍ଡାରର ଉପରମୁଣ୍ଡରେ ୩୫.୯୫ ମିଲିମିଟର ଏବଂ ତଳମୁଣ୍ଡରେ ୧୬.୭୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳଭଣ୍ଡାରର ଜଳସ୍ତର ଓ ଜଳ ନିଷ୍କାସନ ଉପରେ ନଜର ରଖାଯାଇଛି।

Leave A Reply

Your email address will not be published.