ଜଳବାୟୁ ଓ ଜଳ ପ୍ରଦୂଷଣର ପ୍ରଭାବ: କମୁଛି ମାଛ, ମତ୍ସ୍ୟଜୀବୀଙ୍କ ବଡ଼ ସଙ୍କଟ

ଅସ୍ତରଙ୍ଗ, ୭/୮: ଦିନ ଥିଲା, ଅସ୍ତରଙ୍ଗ ଉପକୂଳରେ ଥରେ ଜାଲ ପକାଇଲେ ମାଛରେ ଭରିଯାଉଥିଲା। ଏବେ ସେହି ସମୁଦ୍ରରେ ମାଛ ଧରିବା ମତ୍ସ୍ୟଜୀବୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନ, ସମୁଦ୍ର ଜଳର ତାପମାତ୍ରା ବୃଦ୍ଧି ଓ ଜଳ ପ୍ରଦୂଷଣ ଯୋଗୁଁ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ହ୍ରାସ ପାଉଥିବାରୁ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ହଜାର ହଜାର ମତ୍ସ୍ୟଜୀବୀ ପରିବାର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି।

ଅସ୍ତରଙ୍ଗ ବ୍ଲକରେ ୧୫ଟି ପଞ୍ଚାୟତ ରହିଛି। ନଗର, ଆଳସାହି, ମଧୁପୁର, ବିଲୁଆମଣ୍ଡୁଳି, ସହନ ଓ ଡାଳୁଅକଣି ଆଦି ଅଞ୍ଚଳର ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ଜୀବିକା ମାଛ ଧରା ଉପରେ ନିର୍ଭରଶୀଳ। ନୂଆଗଡ଼ ଜେଟିରୁ ପ୍ରତିଦିନ ଶହେରୁ ଅଧିକ ବୋଟ ସମୁଦ୍ରକୁ ଯାଉଥିଲେ ମଧ୍ୟ ମାଛ ଧରା କମିଯିବାରୁ ବୋଟ ମାଲିକ ଓ ମତ୍ସ୍ୟଜୀବୀମାନେ ଆର୍ଥିକ ଚାପରେ ପଡ଼ିଛନ୍ତି।

ଏହି ଅଞ୍ଚଳର ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ପରିବାର ଧାନ, ପାନ ଓ ମତ୍ସ୍ୟ ଉପରେ ନିର୍ଭର କରନ୍ତି। କିନ୍ତୁ ବାରମ୍ବାର ଲଘୁଚାପ, ସମୁଦ୍ର ଅଶାନ୍ତ ରହିବା ଓ ବିଭିନ୍ନ ସରକାରୀ କଟକଣା କାରଣରୁ ମତ୍ସ୍ୟଜୀବୀମାନେ ନିୟମିତ ଭାବେ ସମୁଦ୍ରକୁ ଯାଇପାରୁନାହାନ୍ତି। ଫଳରେ ଅନେକ ଲୋକ ବାଧ୍ୟ ହୋଇ ମାଛ ଧରା ଛାଡ଼ି ରାଜ୍ୟ ବାହାରକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି।

ମତ୍ସ୍ୟଜୀବୀଙ୍କ ମତରେ ମାଛ ଉତ୍ପାଦନ ହ୍ରାସର ଦୁଇଟି ପ୍ରମୁଖ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଓ ଜଳ ପ୍ରଦୂଷଣ। ପୂର୍ବରୁ ଅଗଷ୍ଟ-ସେପ୍ଟେମ୍ବର ମାସରେ ଇଲିସି ସମେତ ବିଭିନ୍ନ ପ୍ରଜାତିର ସାମୁଦ୍ରିକ ମାଛ ପ୍ରଚୁର ପରିମାଣରେ ମିଳୁଥିଲା। ଏବେ ଅନିୟମିତ ବର୍ଷା, ବର୍ଷା ପରିମାଣର ପରିବର୍ତ୍ତନ ଓ ସମୁଦ୍ର ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ମାଛଙ୍କ ପ୍ରଜନନ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଜଳ ପ୍ରଦୂଷଣ ମଧ୍ୟ ଉପକୂଳୀୟ ମତ୍ସ୍ୟ ସମ୍ପଦ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଅସ୍ତରଙ୍ଗ ବ୍ଲକରେ ବେଆଇନ ଚିଙ୍ଗୁଡ଼ି ଘେରି ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ଏଥିରୁ ନିର୍ଗତ ବର୍ଜ୍ୟବସ୍ତୁ ଜଳସ୍ରୋତ ଦେଇ ସମୁଦ୍ରରେ ମିଶିବା ଫଳରେ ଉପକୂଳ ଜଳ ପ୍ରଦୂଷିତ ହେଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ଏହା ଜଳଜୀବଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସେମାନଙ୍କ ମତ।

ସ୍ଥାନୀୟ ଡଙ୍ଗୀ ଚାଳକ କାଳନ୍ଦୀ ବେହେରାଙ୍କ କହିବା ଅନୁଯାୟୀ, ପୂର୍ବରୁ ମହାନଦୀରେ ବନ୍ୟା ଆସିଲେ ଉପରମୁଣ୍ଡ ପର୍ଯ୍ୟନ୍ତ ଇଲିସି ମାଛ ଯାଉଥିଲା। ଏବେ ନଦୀରେ ଇଲିସି ଦେଖିବା ମଧ୍ୟ କଷ୍ଟକର ହୋଇପଡ଼ିଛି।ପାମ୍ପଲେଟ, କୁମୁଟି, ପତପତା ଓ ବିଭିନ୍ନ ପ୍ରଜାତିର ଚିଙ୍ଗୁଡ଼ି ଉତ୍ପାଦନ ମଧ୍ୟ ହ୍ରାସ ପାଇଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। ପୂର୍ବରୁ ଗୋଟିଏ ଟ୍ରଲର ପ୍ରାୟ ସପ୍ତାହକ ମଧ୍ୟରେ ଫେରୁଥିବା ବେଳେ ଏବେ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ସମୟ ଲାଗୁଛି। ଘଣ୍ଟା ପ୍ରତି ୧୮ରୁ ୨୫ ଲିଟର ପର୍ଯ୍ୟନ୍ତ ଡିଜେଲ ଖର୍ଚ୍ଚ ହେଉଥିଲେ ମଧ୍ୟ ଆଶାନୁରୂପ ମାଛ ମିଳୁନାହିଁ। ଫଳରେ ରାସନ, ବରଫ ଓ ତେଲ ଖର୍ଚ୍ଚ ବଢ଼ୁଥିବା ବେଳେ ଆୟ କମିଯାଉଛି।

ରାଜ୍ୟ ପାରମ୍ପରିକ ମତ୍ସ୍ୟଜୀବୀ ସଂଘର ସଦସ୍ୟମାନେ ମଧ୍ୟ ଚିଙ୍ଗୁଡ଼ି ଘେରି ବୃଦ୍ଧି, ଜଳ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନକୁ ମତ୍ସ୍ୟ ଉତ୍ପାଦନ ହ୍ରାସର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଅସ୍ତରଙ୍ଗ ଉପକୂଳର ମତ୍ସ୍ୟଜୀବୀ ପରିବାରଙ୍କ ଜୀବିକା ଆଗାମୀ ଦିନରେ ଆହୁରି ଗଭୀର ସଙ୍କଟରେ ପଡ଼ିପାରେ।

Leave A Reply

Your email address will not be published.