ମସଜିଦ ଉଚ୍ଛେଦକୁ ନେଇ ଲଙ୍କାକାଣ୍ଡ
ଉଜ୍ଜୟୀନ : ଅଶାନ୍ତ ହୋଇଛି ମଧ୍ୟପ୍ରଦେଶର ଉଜ୍ଜୟୀନ। ଏଠାରେ ଗୋଟିଏ ପୁରାତନ ମସଜିଦର କିଛି ଅଂଶକୁ ଉଚ୍ଛେଦ ପାଇଁ ପ୍ରଶାସନ ଉଦ୍ୟମ କରିବା ବେଳେ ସୃଷ୍ଟି ହୋଇଛି ଉତ୍ତେଜନା। ରାସ୍ତା ସଂପ୍ରସାରଣ ପାଇଁ ପ୍ରସିଦ୍ଧ ଶାହି ମସଜିଦର କିଛି ଅଂଶକୁ ପ୍ରଶାସନ ଭାଙ୍ଗିବାକୁ ଚେଷ୍ଟା କରିବା କ୍ଷଣି ଏହାକୁ ବିରୋଧ କରାଯାଇଛି। ଏହାକୁ ନେଇ ପଥର ମାଡ଼ ହେବାରୁ ପୁଲିସ୍ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି। ଏହାକୁ ନେଇ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟ ଖଣ୍ଡଯୁଦ୍ଧ ଦେଖାଯାଇଛି। ଉଭୟ ପକ୍ଷର ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ପୁଲିସ୍ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ୧୦ ଜଣଙ୍କୁ ଉଠାଇ ନେଇଛି। ସିଂହସ୍ଥ ୨୦୨୮ ପାଇଁ ମଧ୍ୟପ୍ରଦେଶ ଏବେ ପ୍ରସ୍ତୁତ ହେଉଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ବେଆଇନ ଜବରଦଖଲ ଉଚ୍ଛେଦ କରିଯିବା ସହ ରାସ୍ତାର ସଂପ୍ରସାରଣ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ଛତ୍ରି ଚୌକ ସ୍ଥିତ ରାସ୍ତାକୁ ମଧ୍ୟ ସଂପ୍ରସାରଣ କରାଯିବ। ସଂପ୍ରସାରଣ ପୂର୍ବରୁ ଶାହି ମସଜିଦର ୧୧ ଫୁଟ ଅଂଶକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ପ୍ରଥମେ ମସଜିଦ କମିଟିକୁ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା। କମିଟ ମଧ୍ୟ ରବିବାର ରାତି ଆଲୋଚନା ପରେ ଆପେଆପେ ମସଜିଦର ୧୧ ଫୁଟ ଅଂଶକୁ ହଟାଇବା ଆରମ୍ଭ କରିଥିଲା। କିନ୍ତୁ ଆଉ ଗୋଟିଏ ମସୁଲିସ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ରବିବାର ଠାରୁ ମସଜିଦ ନିକଟରେ ଉଚ୍ଛେଦକୁ ବିରୋଧ କରି ଲୋକଙ୍କ ଭିଡ଼ ଜମିଥିଲା। ରାତିତମାମ ମଧ୍ୟ ସେମାନେ ସେଠାରେ ରହିଥିଲେ। ଆଲୋଚନା ପରେ ଭୋର ପ୍ରାୟ ୪ରୁ ୫ଟା ମଧ୍ୟ ମସଜିଦର କିଛି ଅଂଶ ଭାଙ୍ଗିବାକୁ ସହମତି ପ୍ରକାଶ ପାଇଥିଲା। ପ୍ରଶାସନ ସହମତି ଆଧାରରେ ଆଜି ସକାଳୁ ଉଚ୍ଛେଦ ପାଇଁ ପହଞ୍ଚିଥିଲା। ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରାୟ ୨ ହଜାର ପୁଲିସ୍ କର୍ମଚାରୀମାନେ ମସଜିଦ ନିକଟରେ ପହଞ୍ଚିଥିଲେ। ଉଚ୍ଛେଦ ଆରମ୍ଭ ହେବା ମାତ୍ରେ ମୁସଲିମ ସଂପ୍ରଦାୟର ଲୋକମାନେ ଏହାକୁ ପୁଣି ବିରୋଧ କରିଥିଲେ। ସେମାନେ ହଠାତ୍ ପଥର ମାଡ଼ ଆରମ୍ଭ କରିଦେଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍ ପ୍ରଥମେ ଲାଠିଚାର୍ଜ ଓ ପରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା। ସେହିପରି ପୂରା ଅଞ୍ଚଳକୁ ମଧ୍ୟ କର୍ଡନ କରାଯାଇଛି। ଏହାକୁ ନେଇ ବେଶ କିଛି ସମୟ ତୀବ୍ର ଉତ୍ତେଜନା ଦେଖା ଯାଇଥିଲା। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ମୁସଜିଦ ଅଂଶର ଉଚ୍ଛେଦ ଜାରି ରହିଥିବା ଉଜ୍ଜୟୀନ ଏସ୍ପି ପ୍ରଦୀପ ଶର୍ମା ସୂଚନା ଦେଇଛନ୍ତି।

