1 min read

ବନ୍ୟା ଘେରରୁ ଉଦ୍ଧାର ଗର୍ଭବତୀ, ଜନ୍ମ ଦେଲେ ଶିଶୁକନ୍ୟା

ଧାମନଗର : ବନ୍ୟାଜଳ ଘେରରେ ଫସିଥିବା ୯ ମାସର ଗର୍ଭବତୀଙ୍କୁ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇବାରୁ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ବନ୍ୟାର ବିପତ୍ତି ମଧ୍ୟରେ ନବଜାତ ଶିଶୁର ଆଗମନ ପରିବାରରେ ଖୁସି ଆଣିଛି। ଧାମନଗର ବ୍ଲକ ବମକୁରା ଗ୍ରାମର ଉତ୍ତମ ଦଳାଇଙ୍କ ସ୍ତ୍ରୀ ଶୁଭଶ୍ରୀ ବେହେରା ୯ ମାସର ଗର୍ଭବତୀ ଥିଲେ। ଗତ ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ବନ୍ୟାଜଳ ମଧ୍ୟରୁ ଗ୍ରାମବାସୀ ଶୁଭଶ୍ରୀଙ୍କୁ ଖଟିଆରେ ସାହାଯ୍ୟରେ କାନ୍ଧେଇ ବେକେ ପାଣିର ଧୁଷୁରୀ ବଜାର ନିକଟକୁ ଆଣିଥିଲେ। ସେଠାରୁ ଅଗ୍ନିଶମ ବାହିନୀ ଓ ଧୁଷୁରୀ ପୁଲିସ ସହାୟତାରେ ତାଙ୍କୁ ବୟାଙ୍ଗଡିହ ନିକଟକୁ ନିଆଯାଇଥିଲା। ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ଶୁଭଶ୍ରୀଙ୍କୁ ଭଦ୍ରକ ମେଡିକାଲରେ ପହଞ୍ଚାଯାଇଥିଲା। ଚିକିତ୍ସା ପରେ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ବନ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ଥିବାବେଳେ ଗ୍ରାମବାସୀ, ଅଗ୍ନିଶମ ବାହିନୀ ଓ ପୁଲିସ ଦଳର ତତ୍ପରତା ଯୋଗୁଁ ଶୁଭଶ୍ରୀଙ୍କୁ ଠିକ୍ ସମୟରେ ମେଡିକାଲରେ ପହଞ୍ଚାଇବା ସମ୍ଭବ ହୋଇଥିଲା।

Leave a Reply

Your email address will not be published. Required fields are marked *