ଟୋକିଓ, ୭/୮: ଜାପାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ଡଲଫିନ୍’ ମାଡ଼ ହୋଇଛି। ଘଣ୍ଟାପ୍ରତି ସର୍ବାଧିକ ୧୯୮ କିଲୋମିଟର ବେଗର ପବନ ସହ ପ୍ରବଳ ବର୍ଷା ଓ ଉଚ୍ଚ ଜୁଆର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି କାଗୋସିମା ଓ ଓକିନାୱା ପ୍ରାନ୍ତର ପ୍ରାୟ ୨.୬ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବରେ ଶୁକ୍ରବାର ସାରା ଦେଶରେ ୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ୍ ହୋଇଛି।

prajatantra
ଜାପାନ ପାଣିପାଗ ବିଭାଗ (JMA) ଅନୁସାରେ, ‘ଡଲଫିନ୍’ ପ୍ରଥମ ଶ୍ରେଣୀର ଘୂର୍ଣ୍ଣିଝଡ଼ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ବ୍ୟାପକ ରହିଛି। ଝଡ଼ର କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ପ୍ରାୟ ୧୪୪ କିଲୋମିଟର ବେଗରେ ସ୍ଥାୟୀ ପବନ ବହୁଥିବାବେଳେ ଝଟକା ପବନର ବେଗ ୧୯୮ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଛି।
ଝଡ଼ଟି କ୍ୟୁସୁ ଓ ଓକିନାୱା ମଧ୍ୟବର୍ତ୍ତୀ ଦ୍ୱୀପପୁଞ୍ଜ ଦେଇ ଅଗ୍ରସର ହେଉଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ଆକସ୍ମିକ ବନ୍ୟା ଏବଂ ସମୁଦ୍ରରେ ବଡ଼ ବଡ଼ ଢେଉ ସୃଷ୍ଟି ହେବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।
ବାତ୍ୟା ପ୍ରଭାବରେ ଓକିନାୱାର ନାହା ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଛି। ସେଠାରୁ ଚାଲିବାକୁ ଥିବା ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟୟୋଟା ମଧ୍ୟ ଏହାର ୯ଟି କାରଖାନାରେ ଉତ୍ପାଦନ ବନ୍ଦ ରଖିଛି।
ବାତ୍ୟାର ପ୍ରଭାବ କୁମାମୋଟୋ ପ୍ରାନ୍ତରେ ମଧ୍ୟ ଅନୁଭୂତ ହୋଇଛି। ଗତ ସପ୍ତାହରେ ସେଠାରେ ୭.୧ ତୀବ୍ରତାର ଭୂକମ୍ପ ହୋଇଥିବାରୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିଲା। ଏବେ ମଧ୍ୟ ପ୍ରାୟ ୬,୭୦୦ ଲୋକ ଆଶ୍ରୟସ୍ଥଳରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରବଳ ବର୍ଷା ଓ ପବନ ଉଦ୍ଧାର ଏବଂ ପୁନର୍ବାସ କାର୍ଯ୍ୟକୁ ଅଧିକ କଷ୍ଟସାଧ୍ୟ କରିପାରେ ବୋଲି କର୍ତ୍ତୃପକ୍ଷ ଆଶଙ୍କା କରିଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ‘ଡଲଫିନ୍’ ଜାପାନରୁ ଚୀନ୍ ଆଡ଼କୁ ଅଗ୍ରସର ହେଉଛି। ଚୀନ୍ର ପୂର୍ବତଟରେ ଏହା ପହଞ୍ଚିବା ସମୟରେ ଘଣ୍ଟାପ୍ରତି ପ୍ରାୟ ୧୭୦ରୁ ୨୦୫ କିଲୋମିଟର ବେଗର ପବନ ବହିବାର ଆଶଙ୍କା ରହିଛି। ସୋମବାର ସକାଳ ସୁଦ୍ଧା ଚୀନ୍ର ପୂର୍ବତଟରେ ପହଞ୍ଚିବା ପରେ ବାତ୍ୟା ଧୀରେଧୀରେ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।