କୃଷ୍ଣସାଗରରେ ଡ୍ରୋନ୍‌ ଆକ୍ରମଣ: ନିଖୋଜ ୨ ଭାରତୀୟ ନାବିକଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ, ୭/୮: ୟୁକ୍ରେନ୍‌ ନିକଟ କୃଷ୍ଣସାଗରରେ ଡ୍ରୋନ୍‌ ଆକ୍ରମଣର ଶିକାର ହୋଇଥିବା ମାଲବାହୀ ଜାହାଜ ‘ଏମ୍‌ଭି ଏଜିଏନ୍‌ ରାଗ୍ନାର’ରୁ ନିଖୋଜ ହୋଇଥିବା ଦୁଇ ଭାରତୀୟ ନାବିକଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

କେନ୍ଦ୍ର ପକ୍ଷରୁ କୋର୍ଟରେ ଦାଖଲ ସତ୍ୟପାଠ ଅନୁସାରେ, ୟୁକ୍ରେନ୍‌ ଓ ରୋମାନିଆ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ସ୍ଥଳ, ଜଳ ଓ ଆକାଶପଥରେ ବ୍ୟାପକ ସନ୍ଧାନ ଓ ଉଦ୍ଧାର ଅଭିଯାନ ଚଳାଯାଇଥିଲା। ଭାରତୀୟ ଦୂତାବାସ ସମେତ ସମ୍ପୃକ୍ତ ସମସ୍ତ ସଂସ୍ଥା ନିଖୋଜ ନାବିକଙ୍କ ସନ୍ଧାନରେ ନିରନ୍ତର ପ୍ରୟାସ କରିଥିଲେ। ତଥାପି ଏପର୍ଯ୍ୟନ୍ତ ଉଭୟଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ଜୁଲାଇ ଶେଷ ସପ୍ତାହରେ ପଲାଉ ପତାକାଧାରୀ ମାଲବାହୀ ଜାହାଜ ‘ଏମ୍‌ଭି ଏଜିଏନ୍‌ ରାଗ୍ନାର’ ୟୁକ୍ରେନ୍‌ର ଡାନ୍ୟୁବ୍‌ ନଦୀ ମୁହାଣର ବିସ୍ତ୍ରି ଚ୍ୟାନେଲ୍‌ ନିକଟରେ ଡ୍ରୋନ୍‌ ଆକ୍ରମଣର ଶିକାର ହୋଇଥିଲା। ଆକ୍ରମଣ ପରେ ଜାହାଜରେ ଥିବା ଦୁଇ ଭାରତୀୟ ନାବିକ—ଚନ୍ଦ୍ର ରାମ ଦୁବେ ଓ ଦୀପକ କୁମାର ଗୁପ୍ତା—ନିଖୋଜ ହୋଇଯାଇଥିଲେ।

ଅନ୍ୟ ଦୁଇ ଭାରତୀୟ ନାବିକଙ୍କ ସମେତ ଜାହାଜର ଅବଶିଷ୍ଟ କ୍ରୁ ସଦସ୍ୟଙ୍କୁ ୟୁକ୍ରେନ୍‌ ତଟରକ୍ଷୀ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଘଟଣା ପରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର, ବିଦେଶ ମନ୍ତ୍ରଣାଳୟ ଏବଂ ୟୁକ୍ରେନ୍‌ ଓ ରୋମାନିଆସ୍ଥିତ ଭାରତୀୟ ଦୂତାବାସକୁ ତୁରନ୍ତ ପଦକ୍ଷେପ ନେଇ ନିଖୋଜ ନାବିକଙ୍କ ସନ୍ଧାନ କରିବାକୁ କହିଥିଲେ।

ଶୁକ୍ରବାର କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି ଯେ, ନାବିକଙ୍କ ସନ୍ଧାନ ପାଇଁ ସମ୍ଭବମତ ସମସ୍ତ ପ୍ରୟାସ କରାଯାଇଛି। ତଥାପି ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ। ସରକାର ପରିସ୍ଥିତି ଉପରେ ନଜର ରଖିଥିବା ସହ ସମ୍ପୃକ୍ତ ବିଦେଶୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ଜାରି ରଖିଥିବା ଜଣାପଡ଼ିଛି।

Leave A Reply

Your email address will not be published.