‘ଅମିତ ଶାହଙ୍କ ନାଁ ଶୁଣିଲେ ଭୁଲ୍‌ କରୁଥିବା ଲୋକେ ଥରିଯାଆନ୍ତି’: କିରଣ ରିଜିଜୁ

ନୂଆଦିଲ୍ଲୀ: ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଓ ସ୍ଲୋଗାନବାଜିକୁ ନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ବିରୋଧୀଙ୍କ ସ୍ଲୋଗାନବାଜି ଏବେ ଏକ ଅଭ୍ୟାସରେ ପରିଣତ ହୋଇଥିବା ସେ କହିଛନ୍ତି।

ରିଜିଜୁ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମ ଶୁଣିଲେ ହିଁ ଆତଙ୍କବାଦୀ ଓ ଉଗ୍ରବାଦୀମାନେ ଭୟଭୀତ ହୋଇପଡ଼ନ୍ତି। ସଂସଦରେ ଯେଉଁ ଦିନ ଗୃହମନ୍ତ୍ରୀ ନିଜର ବୟାନ ରଖିବେ, ସେଦିନ ବିରୋଧୀଙ୍କ ପାଇଁ ପରିସ୍ଥିତି କଠିନ ହେବ ବୋଲି ସେ ଦାବି କରିଛନ୍ତି।

କିରଣ ରିଜିଜୁଙ୍କ ଅନୁସାରେ, ଅମିତ ଶାହ ପ୍ରତିଦିନ ସଂସଦରେ ଉପସ୍ଥିତ ରହୁଛନ୍ତି ଏବଂ ରାତି ୧୦ରୁ ୧୧ଟା ପର୍ଯ୍ୟନ୍ତ ସଂସଦରେ ରହିବା ପରେ ବାହାରୁଛନ୍ତି। କଂଗ୍ରେସ ନିକଟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଅଭାବ ଥିବାରୁ ବିରୋଧୀ ସଂସଦରେ ହଟ୍ଟଗୋଳ କରୁଥିବା ସେ ଅଭିଯୋଗ କରିଛନ୍ତି।

ସୋମବାର ସଂସଦ ଅଧିବେଶନରେ ଏନ୍‌ଡିଏର ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

ବିରୋଧୀଙ୍କ ଆଭିମୁଖ୍ୟକୁ ଉଲ୍ଲେଖ କରି ରିଜିଜୁ କହିଛନ୍ତି, ବିରୋଧୀମାନେ ‘ଅମିତ ଶାହ ଜବାବ ଦିଅନ୍ତୁ, ନଚେତ୍‌ ସଂସଦ ଚାଲିବାକୁ ଦେବୁନାହିଁ’ ବୋଲି ଦାବି କରୁଛନ୍ତି। ତେବେ ଗୃହମନ୍ତ୍ରୀ ଯେତେବେଳେ ସଂସଦରେ ଜବାବ ରଖିବେ, ସେତେବେଳେ ବିରୋଧୀଙ୍କୁ ତାଙ୍କର ବୟାନ ଶୁଣିବାକୁ ପଡ଼ିବ ବୋଲି ରିଜିଜୁ କହିଛନ୍ତି।

Leave A Reply

Your email address will not be published.