ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ତତ୍ପର ପ୍ରଶାସନ

0
ChatGPT Image Jul 31, 2026, 06_26_04 PM

ବୌଦ୍ଧ, ୩୧୲୦୭: ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ  ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ l ଆଜି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ହରଭଙ୍ଗା ବ୍ଲକର ଜଗନ୍ନାଥ ରୋଡ଼ ସମେତ ବିଭିନ୍ନ ତଳିଆ ଓ ବିଚ୍ଛିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହାୟତାରେ ସ୍ଥାନୀୟ ଡଙ୍ଗା ଯୋଗେ କୁଡ଼ାସିଙ୍ଗା ଗ୍ରାମକୁ ଯାଇ ପରିସ୍ଥିତିର ଆକଳନ କରିଥିଲେ। ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ସାପ କାମୁଡ଼ାରୁ ସତର୍କ ରହିବା ପାଇଁ ସଚେତନ କରାଯାଇଥିଲା।

ଉପଜିଲ୍ଲାପାଳ  ବିନୟ କୁମାର ଭୋଇ ଏବଂ ବୌଦ୍ଧ ବ୍ଲକର ବିଡିଓ  ଯୁଗଳ କିଶୋର ବିଶ୍ୱାଳ ରାଜସ୍ୱ ନିରୀକ୍ଷକ ଓ ଗ୍ରାମ କୃଷି କର୍ମଚାରୀଙ୍କ ସହ ବୌଦ୍ଧ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ତଦାରଖ କରିଥିଲେ।

କଣ୍ଟାମାଳ ବ୍ଲକର ଇଣ୍ଟେକ୍ ୱେଲ୍‌କୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାରୁ ସେଠାକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଫଳରେ ପମ୍ପିଂ କାର୍ଯ୍ୟ ପ୍ରଭାବିତ ହୋଇଥିବା ବେଳେ ପିଏଚ୍‌ଇଡି ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଭାବେ ଜଳ ଉତ୍ସ ସ୍ଥଳକୁ ବିଶୋଧନ କରାଯାଇଛି ଏବଂ ପାନୀୟ ଜଳର ସୁରକ୍ଷା ନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ସୁରକ୍ଷା, ରିଲିଫ୍ ଓ ଆବଶ୍ୟକୀୟ ସେବା ସୁନିଶ୍ଚିତ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଗୁଜବରେ ବିଶ୍ୱାସ ନକରି ସରକାରୀ ପରାମର୍ଶ ମାନିବା ଏବଂ ବନ୍ୟାପ୍ରବଣ ଅଞ୍ଚଳକୁ ଅନାବଶ୍ୟକ ଯାତାୟାତ ନକରିବା ପାଇଁ ଅନୁରୋଧ କରାଯାଇଛି। 

Leave a Reply

Your email address will not be published. Required fields are marked *