ବଙ୍ଗୋପସାଗରରେ ଗଭୀର ଅବପାତ: ୪୮ ଘଣ୍ଟା ଅତି ଭୟଙ୍କର! ୩ ଜିଲ୍ଲାକୁ ରେଡ୍ ଆଲର୍ଟ
ଭୁବନେଶ୍ୱର, (୨୭।୭): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ (Deep Depression)ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟସାରା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଗଭୀର ଅବପାତଟି ପଶ୍ଚିମ-ପଶ୍ଚିମପୂର୍ବ ଦିଗକୁ ଗତି କରି ଦିନ ୧୨ଟା ମଧ୍ୟରେ ପାରାଦୀପ ଓ ସାଗର ଦ୍ବୀପ ମଝିରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ।
କେଉଁଠି କେତେ ଦୂରରେ କେନ୍ଦ୍ରୀଭୂତ?
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ଅବପାତଟି:
- ସାଗର ଦ୍ବୀପର ଦକ୍ଷିଣରୁ ୬୦-୭୦ କି.ମି.
- ଦୀଘାର ଦକ୍ଷିଣ-ପୂର୍ବରୁ ୮୦ କି.ମି.
- ବାଲେଶ୍ବରର ପୂର୍ବ-ଦକ୍ଷିଣପୂର୍ବରୁ ୧୨୦ ରୁ ୧୪୦ କି.ମି.
- ଚାନ୍ଦବାଲିର ପୂର୍ବ-ଉତ୍ତରପୂର୍ବରୁ ୧୫୦ ରୁ ୧୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।
୩ ଜିଲ୍ଲାକୁ ‘ରେଡ୍ ଆଲର୍ଟ’, ତୁହାକୁ ତୁହା ବର୍ଷା:
ବର୍ଷାର କୋପକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି। ଏହାସହିତ ୧୦ରୁ ୧୨ଟି ଜିଲ୍ଲା ପାଇଁ ଅରେଞ୍ଜ/ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସହିତ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି।
ସ୍କୁଲ ଛୁଟି ଓ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା:
ପ୍ରବଳ ବର୍ଷାର ସମ୍ଭାବନାକୁ ଆଖିଆଗରେ ରଖି ସୁରକ୍ଷା ଦୃଷ୍ଟିରୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଅନ୍ୟପଟେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ଥିବାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କଡ଼ା ସତର୍କ ସୂଚନା ଜାରି କରାଯାଇଛି।

