ଚାଷ କ୍ଷେତ୍ରରୁ ମେଡିକାଲ କଲେଜ; ଦୃଢ଼ ପରିଶ୍ରମ ବଳରେ ନିଟ୍ ପରୀକ୍ଷାରେ ସଫଳତା ପାଇଲେ ଲକ୍ଷ୍ମୀ ବାନରା।
1 min read

ଚାଷ କ୍ଷେତ୍ରରୁ ମେଡିକାଲ କଲେଜ; ଦୃଢ଼ ପରିଶ୍ରମ ବଳରେ ନିଟ୍ ପରୀକ୍ଷାରେ ସଫଳତା ପାଇଲେ ଲକ୍ଷ୍ମୀ ବାନରା।

କଳିଙ୍ଗନଗର, ୨୪/୭(ପିପିଏସ):  ଗରିବୀ କେବେ ବି ସ୍ୱପ୍ନ ଓ ସଫଳତାର ପଥରେ ବାଧା ସୃଷ୍ଟି କରିପାରେ ନାହିଁ। ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ  ମନୋବଳ ଥିଲେ ସଫଳତା ନିଶ୍ଚିତ ଏହାର ଜୀବନ୍ତ ଉଦାହରଣ ପାଲଟିଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତର ନାକେଦୀପୁର ଗ୍ରାମର ଜନଜାତି ଛାତ୍ରୀ ଲକ୍ଷ୍ମୀ ବାନରା ।

ଆର୍ଥକ ଅଭାବ ମଧ୍ଯରେ ବାପା ସିପାହୀ ବାନରାଙ୍କ ସଂଘର୍ଷ ପୂର୍ଣ୍ଣ ପରିବାରରେ ବଢ଼ି ଉଠିଥୁବା ଲକ୍ଷ୍ମୀ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଦୃଢ଼ ସଂକଳ୍ପ ବଳରେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ମେଡିକାଲ ପଢ଼ିବାର ସ୍ୱପ୍ନକୁ ସାକାର କରିଛନ୍ତି । ଲକ୍ଷ୍ମୀ କହିଛନ୍ତି ଯେ, ଦାମୀ କୋଚିଂ ନେବା ପାଇଁ ସାମର୍ଥ୍ୟ ନଥୁବାରୁ  ସେ ୟୁଟ୍ୟୁବ୍ ଅନଲାଇନ୍ ମାଧ୍ଯମରେ ସ୍ଵୟଂ ପ୍ରସ୍ତୁତି କରି ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ଖବର ତାଙ୍କୁ କିଛି ସମୟ ପାଇଁ ନିରାଶ କରିଥିଲେ ମଧ୍ୟ, ପରବର୍ତ୍ତୀ ସୁଯୋଗରେ ନିଜ ଯୋଗ୍ୟତାର ପ୍ରମାଣ ଦେଇ ସଫଳତା ଅର୍ଜନ କରିଛନ୍ତି । ଲକ୍ଷ୍ମୀଙ୍କ କହିବା ଅନୁସାରେ, ବାପା-ମା’ଙ୍କ ତ୍ୟାଗ, କଠିନ ପରିଶ୍ରମ ଓ ଆଶୀର୍ବାଦ ହିଁ ତାଙ୍କ ସଫଳତାର ସବୁଠାରୁ ବଡ଼ ଶକ୍ତି। ସେ ଯୁବପିଢ଼ିଙ୍କୁ ବାର୍ତା ଦେଇ କହିଛନ୍ତି, “ଯେତେ ଗରିବୀ ଥିଲେ ବି କଠିନ ପରିଶ୍ରମ ଓ ନିଷ୍ଠା ରହିଲେ ସଫଳତା ନିଶ୍ଚିତ ଭାବେ ମିଳିବ । ଲକ୍ଷ୍ମୀ ବାନରାଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ଦାନଗଦୀ ଅଞ୍ଚଳ ଓ ଜନଜାତି ସମାଜ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।

ଚାଷ କ୍ଷେତ୍ରରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ତାଙ୍କର ଏହି ସଂଘର୍ଷମୟ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ। ଏହି ସଫଳତାର ଖବର ପାଇବା ପରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ନିଜେ ନାକେଦୀପୁର ଗ୍ରାମରେ ପହଞ୍ଚି ଲକ୍ଷ୍ମୀଙ୍କୁ ସମ୍ବନ୍ଧିତ କରିଥିଲେ। ସେତେବେଳେ ଲକ୍ଷ୍ମୀ ବର୍ଷା ଓ କାଦୁଅ ମଧ୍ଯରେ ନିଜ ମା’ ଙ୍କ ସହ ଚାଷ କାମରେ ବ୍ୟସ୍ତ ଥିଲେ। ଶ୍ରୀ ଘଡ଼ାଇ କାଦୁଅ ବିଲକୁ ଯାଇ ଲକ୍ଷ୍ମୀଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ !



Leave a Reply

Your email address will not be published. Required fields are marked *