
ରିଙ୍କୁ-ମୟଙ୍କଙ୍କ ପ୍ରତ୍ୟାବର୍ତ୍ତନ, ୪ ନୂଆ ମୁହଁଙ୍କୁ ସୁଯୋଗ
ନୂଆଦିଲ୍ଲୀ ୭ⵏ୭(ଉଦୟ): ଜିମ୍ବାୱେ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଯୁବ ପ୍ରତିଭା ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣରେ ୧୫ ଜଣିଆ ଦଳ ଗଠନ କରିଛନ୍ତି। ଶ୍ରେୟାସ ଆୟରଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି।
ଏଥର ଦଳର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ୱିକେଟ୍କିପର ବ୍ୟାଟର ସଞ୍ଜୁ ସାମସନଙ୍କ ଅନୁପସ୍ଥିତି। ନିକଟରେ କ୍ରମାଗତ କ୍ରିକେଟ୍ ଖେଳୁଥିବାରୁ ତାଙ୍କ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ସିରିଜରୁ ବିଶ୍ରାମ ଦିଆଯାଇଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ ପ୍ରଭସିମରନ ସିଂହଙ୍କୁ ୱିକେଟ୍କିପର ବ୍ୟାଟର ଭାବେ ସୁଯୋଗ ମିଳିଛି।
ଯୁବ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ଘରୋଇ କ୍ରିକେଟ୍ ଏବଂ ବୟସ୍ଭିତ୍ତିକ ପ୍ରତିଯୋଗିତାରେ ତାଙ୍କ ପ୍ରଦର୍ଶନକୁ ବିଚାର କରି ଚୟନକର୍ତ୍ତାମାନେ ଏହି ସୁଯୋଗ ଦେଇଛନ୍ତି।
ଦୀର୍ଘ ସମୟ ପରେ ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ ଜାତୀୟ ଦଳକୁ ଫେରିଛନ୍ତି। ଶେଷ କିଛି ସିରିଜରୁ ବାଦ ପଡ଼ିଥିବା ରିଙ୍କୁଙ୍କ ପାଇଁ ଏହି ପ୍ରତ୍ୟାବର୍ତ୍ତନ ବେଶ ଗୁରୁତ୍ୱପୂର୍ଣ୍ଣ। ମଧ୍ୟକ୍ରମ ଓ ଶେଷ ଓଭରରେ ଦ୍ରୁତ ରନ୍ ସଂଗ୍ରହ କରିବାରେ ତାଙ୍କ ଭୂମିକା ଦଳ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି।
ପେସ୍ ବୋଲର ମୟଙ୍କ ଯାଦବ ମଧ୍ୟ ପ୍ରାୟ ଦୁଇ ବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି। ଆହତ ସମସ୍ୟାରୁ ମୁକ୍ତି ପାଇବା ପରେ ସେ ପୁଣିଥରେ ନିଜ ଗତି ଓ ବୋଲିଂ କ୍ଷମତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ।
ଏହାସହ ପ୍ରଭସିମରନ ସିଂହ, ୟଶ ଠାକୁର, ଅଶୋକ ଶର୍ମା ଏବଂ ସ୍ପିନର ହର୍ଷ ଦୁବେ ପ୍ରଥମ ଥର ପାଇଁ ଭାରତୀୟ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଆଇପିଏଲ୍ ଓ ଘରୋଇ କ୍ରିକେଟରେ ସେମାନଙ୍କ ନିରନ୍ତର ଭଲ ପ୍ରଦର୍ଶନ ପରେ ଚୟନକର୍ତ୍ତାମାନେ ସେମାନଙ୍କ ଉପରେ ଭରସା ରଖିଛନ୍ତି।
ଭାରତୀୟ ଦଳ ଜୁଲାଇ ୨୩, ୨୫ ଓ ୨୬ ତାରିଖରେ ଜିମ୍ବାୱେ ବିପକ୍ଷରେ ତିନିଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜ୍ରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ, କାରଣ ଆଗାମୀ ବଡ଼ ପ୍ରତିଯୋଗିତା ପାଇଁ ଦଳ ଗଠନରେ ଏହି ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।












Leave a Reply