ଧାମନଗର (ପି ପି ଏସ) ୬ ଏପ୍ରିଲ ୧୯୮୦ ରେ ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଜନ୍ମ ନେଇଥିବା ବିଜେପି ଶୁନ୍ୟରୁ ଆଜି ଶିଖରରେ ପହଞ୍ଚିଛି। ସଂଘର୍ଷ, ସଂଗ୍ରାମ ଚିନ୍ତାଧାରା, ମାନବତା, ରାଷ୍ଟ୍ରବାଦ, ସୁଶାସନ ଓ ହିନ୍ଦୁତ୍ବ ବିଚାରଧାରାକୁ ନେଇ ଦଳ ଗୋଟିଏ ପରେ ଗୋଟିଏ ଗୌରବ ଗାଥା ଲେଖୁଛି। ବାଜପେୟୀଙ୍କ ଦ୍ବାରା ବିଜେପିର ସ୍ଥାପନ ହୋଇଥିବା ବେଳେ ଆଜି ଶୀର୍ଷ ସ୍ଥାନରେ ପହଞ୍ଚିବା ମୂଳରେ ଦଳ ନିର୍ମାଣରେ ଅନେକ ରାଜନେତାଙ୍କ ତ୍ୟାଗ ଓ ବଳିଦାନ ରହିଛି। ସେହି ମହାପୁରୁଷ ମାନଙ୍କ ନିଷ୍ଠା ଓ ତ୍ୟାଗକୁ ମନେପକାଇ ସାରା ଦେଶ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଧାମନଗର ସହରୀ ମଣ୍ଡଳ ପକ୍ଷରୁ ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ତହସିଲ ସମ୍ମୁଖସ୍ଥ ଏନଏସି କଲ୍ୟାଣ ମଣ୍ଡପ ଠାରେ ଦଳର ନଗର ଛାତ୍ର ସଭାପତି ଶୁଭେନ୍ଦୁ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶରତ ଚନ୍ଦ୍ର ମହାନ୍ତି ଯୋଗଦେଇ ଏକ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବାକୁ ଆହ୍ବାନ ଦେଇଥିଲେ। ଏଥିରେ ବରିଷ୍ଠ ନେତା କୈଳାସ ଚନ୍ଦ୍ର ଗୁପ୍ତା, ମନୋରଞ୍ଜନ ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର, ନାରାୟଣ ଚନ୍ଦ୍ର ରାଉତ, ନଗର ସଭାପତି ପ୍ରଶାନ୍ତ ପରିଡ଼ା ପ୍ରମୁଖ ଯୋଗଦେଇ ଦଳପାଇଁ ଅବଦାନ ରଖୁଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ପାଇଁ ଓଡ଼ିଶାରେ ବିଜେପି ଦଳର ସଭ୍ୟ ସଂଖ୍ୟା ୪୦ ଲକ୍ଷରେ ପହଞ୍ଚିଥିବା ସହ ବିଶ୍ବରେ ସର୍ବ ବୃହତ ରାଜନୈତିକ ଦଳ ବୋଲି ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଏନଏସିର କାଉନସିଲର ସ୍ୱାଧୀନ ସମ୍ବିତ ଦାସ, ଉତ୍ତମ ମହାନ୍ତି, କାଉନସିଲରଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ଜେନା, ମିଥୁନ କର, ବରିଷ୍ଠ ସଂଖ୍ୟାଲଘୁ ନେତା ଗୋଲାମ ଜିଲାନୀ ହବିବି, ବାବାଜୀ ପରିଡ଼ା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପ୍ରାରମ୍ଭରେ ଦଳର ବରେଣ୍ୟ ନେତୃତ୍ୱ ଶ୍ୟାମା ପ୍ରସାଦ ମୁଖାର୍ଜୀ, ଦିନ ଦୟାଲ ଉପାଧ୍ୟାୟ, ଅଟକ ବିହାରୀ ବାଜପେୟୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧା ଜ୍ଞାପନ କରାଯାଇ ଥିଲା।ଶେଷରେ ବିଜେପି ନଗର ସମ୍ପାଦକ ବିଜୟ କୁମାର ରାମ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
