ଭୟାଭୟ ଅଗ୍ନିକାଣ୍ଡରେ ୫ବଖରା ଘର ପୋଡି ପାଉଁଶ।
ରଘୁନାଥପୁର:- ୪/୪(ପିପିଏସ)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନସ୍ଥ ତରିକୁନ୍ଦ ପଂଚାୟତ ନୂଆଦା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଟସର୍କିଟରୁ ନିଆଁ ଲାଗି ସେକ ନିଜାମ ଉଦ୍ଦିନ ଓ ସେକ ଇସରାଫଙ୍କ ୫ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ନିଜାମ ଉଦ୍ଦିନ ଓ ଇସରାଫଙ୍କ ପରିବାର ଶୋଇଥିବା ସମୟରେ ହଠାତ ଘର ହୁହୁହୋଇ ଜଳୁଥିବାର ଦେଖି ବାହାରକୁ ଆସି ପାଟି କରିଥିଲେ।ପଡୋଶୀ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ରଘୁନାଥପୁର ଦମକଳ କେନ୍ଦ୍ରକୁ ଜଣାଇଥିଲେ।ଖବରପାଇ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁକିଛି ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ଦମକଳ ବାହିନୀର କର୍ମଚାରୀମାନେ ପାଣି ପକାଇ ନିଆଁକୁ ଅନ୍ୟତ୍ର ବ୍ୟାପିବାକୁ ଦେଇନଥିଲେ।ସର୍ବଗ୍ରାସି ନିଆଁରେ ଉଭୟ ପରିବାରଙ୍କ ନଗଦ ଟଙ୍କା, ସୁନାରୂପା ଗହଣା,ଧାନ,ବିରୀମୁଗ, ୨ଟି ସାଇକେଲ ,୨୦ ରୁ ଉର୍ଦ୍ଧ କୁକୁଡ଼ା ଓ ଘରର ସମସ୍ତ ଆସବାବସପତ୍ର ପୋଡି ନଷ୍ଟ ହୋଇ ଯାଇଛି।ଗ୍ରାମର ଜଣେ ସାହସୀ ଯୁବକ ମହମ୍ମଦ ଉମର ଆଲାମ ଘର ଜଳୁଥିବା ସମୟରେ ଆସବାବପାତ୍ର କାଢିବାକୁ ଯାଇଥିବାବେଳେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ସେ ନିଆଁ ସଂଶର୍ପରେ ଆସି ପୋଡ଼ିଯାଇଥଲେ।ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି।ଇଲେକ୍ଟ୍ରି ସଟସର୍କିଟ ରୁ ନିଆଁଲାଗି ଗ୍ୟାସସିଲିଣ୍ଡର ଫାଟିବା ଯୋଗୁ ନିଆଁର ବେଗ ବଢିଯାଇଥିଲା ବୋଲି ଦମକଳ ବାହିନୀର କର୍ମଚାରୀମାନେ ପ୍ରକାଶ କରିଛନ୍ତି। ତରିକୁନ୍ଦ ସରପଞ୍ଚ ବନମାଳୀ ସାହୂ ଓ ଆରଆଇ ସୁଶାନ୍ତ କୁମାର ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତିl
